ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ; ସ୍ୱାମୀ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କୁରଡ଼ ଗ୍ରାମରେ ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବେଳେ ଉଭୟ ଶାଶୂ ଘର ଓ ବାପଘର ଲୋକେ ଅଡି ବସିଥିଲେ। ପରେ ପୁଲିସ ହସ୍ତକ୍ଷେପ କରି ବୁଝାସୁଝା କରିବା ପରେ ମୃତକଙ୍କ ବାପଘର ଲୋକେ ମୃତ ଦେହ ଗ୍ରହଣ କରି ଶାଶୂ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସୂଚନା ଅନୁସାରେ ଗତ ୨୦୧୫ ମସିହା ଏପ୍ରିଲ ୧୪ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ବସୁଳେଇ ଗ୍ରାମର ମନୋଜ କୁମାର ରାଉତଙ୍କ ଝିଅ ଜ୍ୟୋତିପ୍ରିୟା ପ୍ରିୟଦର୍ଶନୀ ରାଉତଙ୍କ ସହ ଦେବଗଡ଼ ଥାନା ଅନ୍ତର୍ଗତ କୁରଡ଼ ଗ୍ରାମର ଚିତ୍ତରଞ୍ଜନ ଭୁକ୍ତାଙ୍କ ପୁଅ ଅଶ୍ୱିନୀ ଭୁକ୍ତଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ଅଶ୍ୱିନୀ ଆଇଆରବି ୪ର୍ଥ ବାଟାଲିୟନରେ କନଷ୍ଟେବଳ ଭାବେ ଚାକିରି କରୁଥିବାବେଳେ ବିବାହ ସମୟରେ କନ୍ୟା ଘର ପକ୍ଷରୁ ଦାବି ମୁତାବକ ଯାନିଯୌତୁକ ପ୍ରଦାନ କରାଯାଇଥିଲା। ସେମାନଙ୍କର ଏକ ୩ ବର୍ଷର କନ୍ୟା ସନ୍ତାନ ରହିଥିବାବେଳେ ବିବାହର ୫ ବର୍ଷ ମଧ୍ୟରେ ଶାଶୂ ମନୋରମା ଭୁକ୍ତା, ଶ୍ୱଶୂର ଚିତ୍ତ ରଞ୍ଜନ, ସ୍ୱାମୀ ଅଶ୍ୱିନୀ ଓ ନଣନ୍ଦ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ।

ଗତକାଲି ଜ୍ୟୋତିପ୍ରିୟା ନିଜ ବାପଘର ଲୋକଙ୍କୁ ଫୋନ ଯୋଗେ ନିର୍ଯାତନା ଦିଆଯାଉଥିବା କଥା କହିବା ସହ ତୁରନ୍ତ ଆସିବାକୁ କହିଥିଲେ। ଏହାର କିଛି ସମୟ ପରେ ଶାଶୂ ମନୋରମା ଫୋନ କରି ତାଙ୍କ ଝିଅ ବିଷପାନ କରି ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ। ସୂଚନାପାଇ ଜ୍ୟୋତିପ୍ରିୟାଙ୍କ ପରିବାର ଲୋକେ ଆସି ଦେବଗଡ଼ରେ ପହଞ୍ଚି ତାଙ୍କ ଝିଅର ମୃତ୍ୟୁ ଦେଖିବା ପରେ ମୃତକଙ୍କ ବାପା ମନୋଜ ରାଉତ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଦଫା ୪୯୮(ଏ), ୩୦୪(ବି), ୩୦୨ ଓ ୩୪ ଆଇପିସିରେ ମାମଲା ରୁଜୁ କରିଛି। ସେହିପରି ସବ୍ ଇନ୍ସପେକ୍ଟର କଳ୍ପନା ବେହେରା ଘଟଣାର ତଦନ୍ତ ଆରମ୍ଭ କରି ସ୍ୱାମୀ ଅଶ୍ୱିନୀକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।