ବାରିପଦା,ଏନ୍ଏନ୍ଏସ୍: ଆଜି ଜନ୍ମମାଟିରେ ପହଞ୍ଚିଲା ଶହୀଦ ସୁଧୀର କୁମାର ଟୁଡୁଙ୍କ ମରଶରୀର। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ସାନଭଦୁଆ ଶାଳ ଗାଁରେ ପହଞ୍ଚିଛି ମରଶରୀର। ଏନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ ଗତ ବୁଧବାର ଦିନ କଳାହାଣ୍ଡି ଏବଂ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଅପରେସନ କରାଯାଇଥିଲା। ଏହି ସମୟରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ସୁଧୀର ଶହୀଦ ହୋଇଥିଲେ।
ଗତକାଲି ଶହୀଦ ଯବାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଆଜି ନିଜ ଜନ୍ମମାଟିକୁ ଆସିଛି ଶହୀଦଙ୍କ ମରଶରୀର। ତେବେ ଗାଁରେ ହିଁ ଶହୀଦଙ୍କ ଶେଷକୃତ୍ୟ କରାଯିବ। ଏନେଇ ଗାଁର ଶେଷ ମୁଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେଠାରେ ତାଙ୍କୁ ତୋପ ସଲାମି ମଧ୍ୟ ଦିଆଯିବ। ଏଥିସହିତ ମୟୂରଭଞ୍ଜ ଏସପି, ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସ୍ଥାନୀୟ ବିଧାୟକ ଓ ବରିଷ୍ଠ ନେତାମାନେ ଶହୀଦଙ୍କ ଶେଷ ଦର୍ଶନ ପାଇଁ ଆସିଥିବା ଜଣାପଡ଼ିଛି। ସେହିପରି ଶହୀଦଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି।