ମୁମ୍ବାଇ,ଏଜେନ୍ସି : ଡ୍ରଗ୍ସ ମାମଲାରେ ଗିରଫ ରିୟା ଚକ୍ରବର୍ତ୍ତୀଙ୍କୁ ଗୁରୁବାର ଜେଲରେ ରହିବାକୁ ପଡ଼ିଛି। ମୁମ୍ବାଇ ସେସନ୍ସ କୋର୍ଟ ରିୟା ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନର ବିଚାର କରି ଶୁକ୍ରବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି। ରିୟାଙ୍କ ଓକିଲ ସତୀଶ ମାନସିନ୍ଦେ କୋର୍ଟରେ କହିଛନ୍ତି ଯେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ତାଙ୍କ ମହକିଲଙ୍କୁ ଫସାଇଛନ୍ତି। ଜେରା ସମୟରେ ତାଙ୍କୁ ଅଭିଯୋଗ ମାନିବା ପାଇଁ ପାଇଁ ଏନସିବି ଟିମ୍ ଚାପ ପକାଇଛି। ରିୟାଙ୍କୁ ଜେରା କରୁଥିବା ଏନସିବି ଟିମରେ ଜଣେ ବି ମହିଳା ଅଧିକାରୀ ନଥିବା ଅଭିଯୋଗ କରି ସେ ରିୟାଙ୍କୁ ଗିରଫ କରିବାର ଆବଶ୍ୟକତା ନଥିଲା ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏନ୍ସିବି କହିଛି ଯେ ରିୟାଙ୍କୁ ଜେରା କରାଯାଉଥିଲା ବେଳେ ପ୍ରୋଟୋକଲ୍ ପାଳନ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ତାଙ୍କ (ରିୟା) ବିରୋଧରେ ଇଲେକ୍ଟୋନିକ୍ସ ପ୍ରମାଣ ମହଜୁଦ ଅଛି। ଡ୍ରଗ୍ସ ବେପାର ଅଭିଯୋଗରେ ଗିରଫ ଲୋକମାନେ ରିୟାଙ୍କ ସଂସ୍ପର୍ଶରେ ଆସିଥିବା ସ୍ୱୀକାର କରିଛନ୍ତି।
ମଙ୍ଗଳବାର ଏନସିବି ରିୟାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ସେହିଦିନ ତାଙ୍କ ଜାମିନ ଆବେଦନକୁ ଖାରଜ କରି ୧୪ ଦିନ ପାଇଁ ଏନସିବି ଲକଅପରୁ ଭାୟଖଲା ଜେଲକୁ ପଠାଇ ଦେଇଥିଲେ। ଉକ୍ତ ଜେଲ୍ର ଏକ ନମ୍ବର ବ୍ୟାରେକରେ ରିୟାଙ୍କୁ ରଖାଯାଇଥିଲା। ରିୟାଙ୍କ ବ୍ୟାରେକ୍ ନିକଟରେ ଶିନାବୋରା ହତ୍ୟାକାଣ୍ଡରେ ଗିରଫ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବ୍ୟାରେକ୍ ଅଛି। ବୁଧବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ଜେନେରାଲ୍ ବ୍ୟାରେକରେ ରଖାଯାଇଥିଲା। ମାତ୍ର ସନ୍ଧ୍ୟା ସମୟରେ ତାଙ୍କୁ ଏକ ନମ୍ବର ବ୍ୟାରେକକୁ ସ୍ଥାନାନ୍ତର କରାଯାଇଥିଲା। ଦ୍ୱିପହରରେ ଜେଲ ଡାକ୍ତର ତାଙ୍କ (ରିୟା) ରକ୍ତଚାପ, ସୁଗାରଲେବଲ୍ ଓ ଅନ୍ୟାନ୍ୟ ପରୀକ୍ଷା କରିଥିଲେ। ରିୟା କେବଳ ଜେଲ କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳୁଛି। ଅପରାହ୍ଣ ୫ଟାରେ ତାଙ୍କୁ ଭାତ, ଡାଲି, ୨ଟି ରୁଟି ଓ ତରକାରୀ ଦିଆଯାଇଥିଲା। ଜେଲ କୋଠରୀରେ ରିୟା ତଳେ ଶୋଇଥିଲେ। ରାତିସାରା ସେ ଏକାଧିକବାର ଉଠିଥିବା ଓ ଭଲରେ ଶୋଇନଥିବା ଜେଲ୍ କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ।