ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଓପଜିସି କର୍ତୃପକ୍ଷ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ତ୍ରୀପାକ୍ଷିକ ବୈଠକ ଅନୁଷ୍ଠିିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗତ ୫ ତାରିଖ ଓପିଜିସି ୟୁନିଟ ୩ରେ ଘଟିଥିବା ଦୁର୍ଘଟଣରେ ଆହତ ହୋଇଥିବା ଶ୍ରମିକଙ୍କ ସମସ୍ୟା ଓ ସ୍ଥାନୀୟ ଲୋକଙ୍କ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଛି। ଏହାସହ ସୋମବାର ସ୍ଥାନୀୟ ଲୋକେ ଧାରଣା ଦେଇ ୬ ଦଫା ଦାବି କରିବା ପରେ ଓପିଜିସି ପକ୍ଷରୁ ଲିଖିତ ପ୍ରତିଶୃତି ପ୍ରଦାନ କରାଯାଇଛି। ଓପିଜିସି ପକ୍ଷରୁ କୁହାଯାଇଛି ଯେ, ନିକଟରେ ଘଟିଥିବା ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କ ଚିିକିତ୍ସା ଭୁବନେଶ୍ୱରସ୍ଥିତ ସ୍ପେଶାଲାଇଜଡ ହସ୍ପିଟାଲରେ କରାଯାଉଛି। ଏହି ଚିକିତ୍ସା ଖର୍ଚ୍ଚ ଓପିଜିସି ବହନ କରୁଛି। ଆହତମାନେ ଉପଶମ ହେଲାପରେ ପୁଣି କାର୍ଯ୍ୟ କରୁଥିବା ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯିବ। ଯଦି କୌଣସି ଆହତ ବ୍ୟକ୍ତିଙ୍କ ଚିକିତ୍ସା ପରେ ମଧ୍ୟ କୌଣସି କାର୍ଯ୍ୟ ଦକ୍ଷତା କ୍ଷୟ ହୋଇଥାଏ ତେବେ ତାଙ୍କର ସମସ୍ତ ସୁବିଧା ଆଇନ ଅନୁଯାୟୀ ଉକ୍ତ ଠିକା ସଂସ୍ଥାରୁ ପାଇବେ। ଯଦି ଠିକା ସଂସ୍ଥା ସେଥିରେ ଅବହେଳା କରନ୍ତି ତେବେ ଓପିଜିସି ପ୍ରିନ୍ସିପାଲ ଏମ୍ପଲୟର ଭାବରେ ଏବଂ ଶ୍ରମ ବିଭାଗର ଆଦେଶମତେ ସମସ୍ତ ସୁବିଧା ପ୍ରଦାନ କରାଇବେ। ୟୁନିଟ-୩ର ଇଏସପିକୁ ଏକ ବିଶେଷଜ୍ଞ ଦଳ ଜରିଆର ଷ୍ଟ୍ରକ୍ଚରାଲ ଷ୍ଟାବିଲିଟି ଏସେସମେଣ୍ଟ କରାଯାଇ ଗତ ୫ ତାରିଖ ଘଟିଥିବା ଦୁର୍ଘଟଣାର କାରଣ ଏବଂ ନିରାକରଣ ଅନୁଧ୍ୟାନ କରାଯିବ। ଶ୍ରମିକମାନେ ନିଜର କାର୍ଯ୍ୟ ଓ ସୁରକ୍ଷା ସମ୍ବନ୍ଧୀୟ ଅଭିଯୋଗକୁ ସେଫ୍ଟି ଅଫିସର, ଇଞ୍ଜିନିୟର ଇନଚାର୍ଜ, ଏଚଆର ଡିପାର୍ଟମେଣ୍ଟରେ କରିପାରିବେ। ୟୁନିଟ ୩ ଓ ୪ରୁ ବାହାରୁଥିବା ଉଡ଼ନ୍ତା ପାଉଁଶରୁ ସ୍ଥାନୀୟ ଅଞ୍ଚଳରେ ଉପୁଜୁଥିବା ସମସ୍ୟାର ବୈଷୟିକ ନିରାକରଣ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଓପିଜିସି ପକ୍ଷରୁ କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୁସ୍ରାଲୋଇ ସରପଞ୍ଚ ରୁପଶିଶ ସେଠ, ଜିଲ୍ଲାପରିଷଦ ସାମଲ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ବାସୁଦେବ ଭୋଇ, ସରଣ୍ଡାମାଲ ସମିତି ସଭ୍ୟ ଦେବାନନ୍ଦ ପ୍ରଧାନ, ସୁବ୍ରତ ପ୍ରଧାନ, ଲକ୍ଷଣ ପ୍ରଧାନ,ସୁରକ୍ଷା ଅଧିକାରୀ ଏନଏମ୍ ଷଡ଼ଙ୍ଗୀ ଓ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।