ନୂଆ ଶିକ୍ଷାନୀତି ନେଇ ରାଜ୍ୟପାଳଙ୍କ ସମ୍ମିଳନୀ, ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ,ଏଜେନ୍ସି: ନୂତନ ଶିକ୍ଷା ନୀତିକୁ ନେଇ ରାଜ୍ୟପାଳଙ୍କ ଆୟୋଜିତ ଏହି ସମ୍ମିଳନୀରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ସମସ୍ତ ରାଜ୍ୟର ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟର କୁଳପତି ସାମିଲ ହୋଇଛନ୍ତି। ଦେଶରେ ଲାଗୁ ହୋଇଥିବା ନୂଆ ଶିକ୍ଷାନୀତି ଉପରେ ଏଥିରେ ଆଲୋଚନା ହେଉଛି। ଦେଶରେ ୩୪ ବର୍ଷ ପରେ ଆସିଛି ନୂଆ ଶିକ୍ଷା ନୀତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି ନିର୍ମାଣରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଯୁବପିଢୀଙ୍କ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ହେବ ନୂଆ ଶିକ୍ଷାନୀତି।

ନୂଆ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ। ପ୍ରାକ୍ଟିକାଲ ଶିକ୍ଷାକୁ ବେଶ ଗୁରୁତ୍ୱ ଦିଆଯିବ। ନୂଆଶିକ୍ଷା ନୀତିରେ ପ୍ରାକ୍ଟିକାଲିଟି, ପରଫରମାନ୍ସ, କ୍ରିଟିକାଲ ଆନାଲିସିସ୍ ଓ ଆସେସମେଣ୍ଟକୁ ଗୁରତ୍ୱ ଦିଆଯିବ। ଏହା ଆତ୍ମନିର୍ଭର ଭାରତ ଗଠନ ଗଢିବାରେ ସହାୟକ ହେବ ବୋଲି କହିଛନ୍ତି ମୋଦୀ।

ଏଥି ସହିତ ଶ୍ରୀ ମୋଦୀ କହିଛନ୍ତି ଯେ, ଶିକ୍ଷା ନୀତିରେ ସରକାରଙ୍କ ହସ୍ତକ୍ଷେପ ହ୍ରାସ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବିଶ୍ୱରେ ଚାକିରି ଉପରେ ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ ନୂତନ ଶିକ୍ଷା ନୀତି ଛାତ୍ର-ଛାତ୍ରୀଙ୍କ ଜ୍ଞାନ ଏବଂ ଦକ୍ଷତା ବଢ଼ାଇବ। ଏହି ନୀତି ନୂଆ ଭାରତ ଏବଂ ଆତ୍ମନିର୍ଭରଶୀଳ ଭାରତର ମିଶନକୁ ପୂରଣ କରିବ। ଦୀର୍ଘ ଦିନ ଧରି ବ୍ୟାଗ ଏବଂ ବୋର୍ଡ ପରୀକ୍ଷାର ଚାପରେ ପିଲାମାନେ ରହୁଥିଲେ, ଯାହାକୁ ବର୍ତ୍ତମାନ ନୂତନ ଶିକ୍ଷା ନୀତିରେ ହ୍ରାସ କରାଯାଇଛି ବୋଲି କହିଛନ୍ତି।