ଆସନ୍ତା ୧୨ରୁ ଚାଲିବ ୪୦ ଯୋଡା ସ୍ୱତନ୍ତ୍ର ଟ୍ରେନ୍, ୧୦ରୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ଏବଂ ଏଥିପାଇଁ ସେପ୍ଟେମ୍ବର ୧୦ ତାରିଖରୁ ରିଜର୍ଭେସନ୍ ଆରମ୍ଭ ହେବ ବୋଲି ଶନିବାର ଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି। ଆସନ୍ତା ୧୨ ତାରିଖରୁ ୮୦ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଅର୍ଥାତ୍ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଓଡ଼ିଶାରେ ୨ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ପୁରୀରୁ ଅହମ୍ମଦାବାଦ ଓ ଅହମ୍ମଦାବାଦରୁ ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ସେହିପରି ଦୁର୍ଗରୁ ପୁରୀ ଏବଂ ପୁରୀରୁ ଦୁର୍ଗ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।

ପୂର୍ବରୁ ଚଳାଚଳ କରୁଥିବା ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ସହ ଏହି ନୂଆ ଟ୍ରେନ୍ ଚାଲିବ ବୋଲି ଯାଦବ ସୂଚନା ଦେଇଛନ୍ତି। ସମ୍ପ୍ରତି ଚଳାଚଳ କରୁଥିବା କେଉଁ ସବୁ ଟ୍ରେନ୍ରେ ଅଧିକ ୱେଟିଙ୍ଗ ଲିଷ୍ଟ ରହୁଛି ତାହା ଧାର୍ଯ୍ୟ କରିବାକୁ ରେଳବାଇ ସମସ୍ତ ଟ୍ରେନ୍ଗୁଡିକୁ ଅନୁଧ୍ୟାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସହ ରେଳବାଇ ସମନ୍ୱୟ ରକ୍ଷା କରି ନୂଆ ଟ୍ରେନ୍ ପ୍ରବର୍ତ୍ତନ କରୁଛି ବୋଲି ସେ କହିଛନ୍ତି।