୧୦୩ କୋଟି ଟଙ୍କା ଦାନ କରିଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରୋଜଗାରରୁ ଦାନ କରିବାରେ କେବେ ବି ପଛରେ ପଡ଼ିନାହାନ୍ତି। ବର୍ତ୍ତମାନ ସୁଦ୍ଧା ମୋଦୀ ନିଜ ଆୟରୁ ୧୦୩ କୋଟି ଟଙ୍କା ଦାନ କରିଛନ୍ତି। କରୋନା ବିରୋଧରେ ଲଢ଼ିବା ପାଇଁ ମୋଦୀ ଯେତେବେଳେ ପିଏମ୍ କେୟାରସ୍ ଫଣ୍ଡ ଲଞ୍ଚ କରିଥିଲେ ସେତେବେଳେ ମଧ୍ୟ ୨.୨୫ ଲକ୍ଷ ଟଙ୍କା ଦାନ କରିଥିଲେ।

ସମାଜର ପଛୁଆ ବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ନିଜ ରୋଜଗାରରୁ ଦାନ କରିଛନ୍ତି। ୨୦୧୯ କୁମ୍ଭମେଳାରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ୨୧ ଲକ୍ଷ ଟଙ୍କା ଦାନ କରିଥିଲେ। ଦକ୍ଷିଣ କୋରିଆରେ ୨୦୧୯ରେ ସିୟୋଲ ଶାନ୍ତି ପୁରସ୍କାର ପାଇବା ପରେ ପୁରସ୍କାରରେ ମିଳିଥିବା ୧.୩୦ କୋଟି ଟଙ୍କା ନମାମି ଗଙ୍ଗେ ପରିଯୋଜନାରେ ଦାନ କରିବା ପାଇଁ ଘୋଷଣା କରିଥିଲେ। ଏଥିସହିତ ତାଙ୍କୁ ମିଳିଥିବା ସ୍ମୃତି ଚିହ୍ନକୁ ନିକଟରେ ନିଲାମ କରାଯାଇ ୩ କୋଟି ୪୦ଲକ୍ଷ ଟଙ୍କା ପ୍ରାପ୍ତ କରାଯାଇଥିଲା ଯାହାକୁ ନମାମି ଗଙ୍ଗେ ପରିଯୋଜନାରେ ଦାନ କରାଯାଇଛି।

ସୂଚନାନୁସାରେ, ୨୦୧୪ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ମୋଦୀ ଗୁଜୁରାଟ ସରକାରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଝିଅ ବାହାଘରରେ ନିଜ ଆୟରୁ ୨୧ ଲକ୍ଷ ଟଙ୍କା ଦେଇଥିଲେ। ମୁଖ୍ୟମନ୍ତ୍ରୀ ରୂପେ ତାଙ୍କୁ ମିଳିଥିବା ପୁରସ୍କାରକୁ ନିଲାମ କରି ୮୯.୯୬ କୋଟି ଟଙ୍କା ପାଇଥିଲେ। ଏହାକୁ ମୋଦୀ ‘କନ୍ୟା କେଲବଣୀ କୋଷ’ରେ ଦାନ ଦେଇଥିଲେ ଯାହାକି ବାଳିକାଙ୍କ ପାଠପଢ଼ା ପାଇଁ ଆରମ୍ଭ କରାଯାଇଥିବା ଏକ ଯୋଜନା।