ବରଗଡ଼,ଏନ୍ଏନ୍ଏସ୍: କରୋନା ସମୟରେ ସ୍କୁଲ, କଲେଜ ବନ୍ଦ ରହିବା ସହ ପାଠପଢ଼ା ଠପ୍ ହୋଇଯାଇଛି। ଏପରି ସ୍ଥିତିରେ ଛାତ୍ରଛାତ୍ରୀ ଘରେ ରହି ଅନଲାଇନରେ ପାଠ ପଢ଼ୁଛନ୍ତି। ପାଠପଢ଼ା ପରେ କିଛି ପିଲା ଟିଭି, ମୋବାଇଲ ଗେମ ଓ ସୋସିଆଲ ମିଡିଆରେ ସମୟ ଅତିବାହିତ କରୁଥିବାବେଳେ ଏପରି ବହୁ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଖାଲି ସମୟର ସୁବିନିଯୋଗ କରି ବାପା ମା’ଙ୍କୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ସୁଲୁସୁଲିଆ ଗ୍ରାମର କଲେଜ ଛାତ୍ର ମନୋରଞ୍ଜନ ସାହୁ। ମନୋରଞ୍ଜନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ସତ୍ୱେ ବର୍ତ୍ତମାନ ସମୟରେ ବାପା ମା’ଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରି ପରିବାରର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିଛନ୍ତି।
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ସୁଲୁସୁଲିଆ ଗ୍ରାମର ଚାଷୀ ସପ୍ନ ସାହୁଙ୍କ ପୁଅ ମନୋରଞ୍ଜନ ସାହୁ। ମନୋରଞ୍ଜନ ବର୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍ ସୋସିଆଲ ୱାର୍କ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର। କରୋନା ମହାମାରୀ ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଫଳରେ ତାଙ୍କ ପାଠପଢ଼ା କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇଛି। କରୋନା ସମୟରେ ଘରେ ରହି ଅନଲାଇନରେ ପାଠ ପଢ଼ିବା ସହ ଚାଷୀ ପରିବାରରୁ ଆସିଥିବା ମନୋରଞ୍ଜନ ବାପାଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରୁଛନ୍ତି। ଚାଷୀ ସପ୍ନ ସାହୁଙ୍କ ସୁଲୁସୁଲିଆ ଗ୍ରାମରେ ୧୦ ଏକର ଜମି ରହିଥିବାବେଳେ ସେଥିରେ ସେ ଧାନ ଏବଂ ଲଙ୍କା ଚାଷ କରିଛନ୍ତି। ଯଦ୍ୱାରା ସେ ତଥା ତାଙ୍କ ପରିବାର ଆତ୍ମନିର୍ଭରଶୀଳ ହେବାସହ କିଛି ରୋଜଗାରର ପନ୍ଥା ଆପଣେଇ ପାରିଛନ୍ତି। ବରଗଡ଼ ପଂଚାୟତ କଲେଜରେ ପଢ଼ିବା ସମୟରେ ଏବିଭିପି ଯୋଗ ଦେଇଥିବା ମନୋରଞ୍ଜନଙ୍କର ଆଉ ଏକ ଦୁର୍ବଳତା ହେଉଛି ସମାଜସେବା। ସେଥିପାଇଁ ପଢ଼ାପଢ଼ି ଏବଂ ଚାଷ କାର୍ଯ୍ୟରୁ କିଛି ସମୟ ବାହାର କରି ସେ କରୋନା ସଂକ୍ରମଣ ରୋକିବା ନେଇ ଆଖପାଖ ଅଚଂଳରେ ସଚେତନତା କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି। ପାଠପଢ଼ା ସହ ପ୍ରତ୍ୟେକ ଯୁବକ ନିଜ ପରିବାର ସଦସ୍ୟଙ୍କୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରୟାସ ଜାରି ରଖିବା ଏବଂ ନିଜର ସାମର୍ଥ୍ୟ ଅନୁସାରେ ସମାଜ ସେବାକୁ ଗ୍ରହଣ କରିବା ଜରୁରୀ। ଉଭୟ ଦିଗକୁ ଆପଣାଇ ପାରିଲେ ସାମାଜିକ କ୍ଷେତ୍ରରେ ମଣିଷର ଉତ୍ତରଦାୟିତ୍ୱ ସଠିକ ପ୍ରତିପାଦନ ହୋଇପାରିବ ବୋଲି ମନୋରଞ୍ଜନ କହିଛନ୍ତି।