ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ଲେହ ସ୍ଥିତିକୁ ସମୀକ୍ଷା କରିବା ପାଇଁ ଲଦାଖ ଗସ୍ତ କରିଛନ୍ତି। ଚୀନ ସହ ବଢ଼ୁଥିବା ସୀମା ବିବାଦ ମଧ୍ୟରେ ନରବାଣେ ଫିଲ୍ଡ କମାଣ୍ଡରଙ୍କ ସହ ସେନା ମୁତୟନ ଓ ଏଲଏସିରେ ପ୍ରସ୍ତୁତ ହୋଇଥିବା ରଣନୀତିକୁ ତଦାରଖ କରିବେ। ଏହି ଦୁଇ ଦିବସୀୟ ଗସ୍ତରେ ସେନା ମୁଖ୍ୟ ସୈନିକଙ୍କ କାର୍ଯ୍ୟ ସମ୍ବନ୍ଧୀୟ ପ୍ରସ୍ତୁତିକୁ ମଧ୍ୟ ଯାଞ୍ଚ କରିବେ।
ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ବ୍ରିଗେଡରସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଉଭୟ ଦେଶ ମଧ୍ୟରେ ସୈନ୍ୟସ୍ତରୀୟ ଆଲୋଚନା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦରେ ଚୀନ ସୈନ୍ୟ ଉତ୍ତେଜନା ସ୍ଥିତି ଆରମ୍ଭ କରିବା ପରେ ଗତ ୩ ଦିନ ହେବ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଚୀନୀ ପିପୁଲ୍ସ ଲିବ୍ରେସନ ଆର୍ମିର ସୈନିକ ଭାରତୀୟ କ୍ଷେତ୍ରରେ ଅନୁପ୍ରବେଶର ପ୍ରୟାସ କରିବା ପରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା।