ଝାରସୁଗୁଡା,ଏନ୍ଏନ୍ଏସ୍: ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଝାରୁପଡ଼ା ଓ ଧୂଲୁଣ୍ଡା ଗ୍ରୀଡର ପ୍ରାୟ ୧୧ ହଜାର ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଝାରୁପଡା ଗ୍ରୀଡରେ ଦିନକୁ ପ୍ରାୟ ୬ ଘଣ୍ଟା ଧରି ବିଜୁଳି କାଟ ହେଉଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ପ୍ରାୟ ୧୧ ହଜାର ଉପଭୋକ୍ତାଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି ହେଉଛି। ବାରମ୍ବାର ବିଜୁଳି କାଟକୁ ରୋକିବା ପାଇଁ ଅଭିଯୋଗ ସତ୍ୱେ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟଲୋକେ ଜିଲ୍ଲାପାଳଙ୍କ ନିକଟରେ ୮ ଦଫା ଦାବି ଉପସ୍ଥାପନ କରିଛନ୍ତି। ସେମାନେ କହିଛନ୍ତି ଯେ, ସମସ୍ତ ଟ୍ରାନ୍ସଫର୍ମରରେ ତାରବାଡ ସହିତ ଏକ ସୁଇଚ ଖଞ୍ଜାଯାଉ। ୩୩ କେଭି ଝାରୁପଡା ଗ୍ରୀଡରେ ଏକ ଏବି ସୁଇଚ୍ ଲଗାଯାଉ। ମୁଚବାହାଲ ଠାରୁ ଝାରୁପଡା ଗ୍ରୀଡ ପର୍ଯ୍ୟନ୍ତ ପ୍ରତି ୧ କିଲୋମିଟରରେ ଏବି ସୁଇଚ ଲଗାଯାଉ। ବ୍ରେକ ଡାଉନ ମେଣ୍ଟେନାନ୍ସ ପାଇଁ ଜାତୀୟ ରାଜପଥ ୪୯କୁ ଲାଗି ଆଉ ଏକ ୩୩ କେଭି ତାର ଟଣାଯାଉ। ଝାରୁପଡା ଓ ଧୂଲୁଣ୍ଡା ଗ୍ରୀଡରେ ଆବସ୍ୟକ ପରିମାଣର କୁଶଳୀ ଏବଂ ଅଣ କୁଶଳୀ କର୍ମଚାରୀଙ୍କୁ ନିୟୋଜିତ, ଫିଲ୍ଡ ଡିଟେକସନ ମେସିନ ଲଗାଇବା ଆଦି ଦାବି କରିଛନ୍ତି।