ଚୀନ୍ ଦ୍ୱିପାକ୍ଷିକ ବୁଝାମଣା ଉଲ୍ଲଘଂନ କରିଛି: ଭାରତ

ନୂଆଦିଲ୍ଲୀ, ଏଜେନ୍ସି: ଗତ ଅଗଷ୍ଟ ୩୧ରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଦକ୍ଷିଣ ଉପକୂଳରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସେନା ଦ୍ୱିପାକ୍ଷିକ ଆଲୋଚନାର ଉଲ୍ଲଘଂନ କରିଛି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଗତ ଜୁନ୍ ୧୫ରେ ଚୀନ ସେନା ଏକତରଫା ଭାବେ ପାଙ୍ଗୋଙ୍ଗ ହ୍ରଦର ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଉଦ୍ୟମ କରିବାରୁ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ମଙ୍ଗଳବାର କହିଛନ୍ତି ‘ଭାରତ ଓ ଚୀନ୍ ଉଭୟ କୂଟନୀତିକ ଓ ସାମରିକ ସ୍ତରରେ ଗତ ୩ ମାସ ଧରି ସୀମା ବିବାଦର ସମାଧାନ କରିବାକୁ ଆଲୋଚନା ଜାରିରଖିଛନ୍ତି। ମାତ୍ର ଚୀନ୍ ଗତ ଅଗଷ୍ଟ ୨୯-୩୦ ତାରିଖ ରାତିରେ ଏହି ବୁଝାମଣାର ଉଲ୍ଲଘଂନ କରି ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲା।’ ସେ ଆହୁରି କହିଛନ୍ତି, ଏହି ବିବାଦର ସମାଧାନ କରିବା ଲାଗି ଅଗଷ୍ଟ ୩୧ରେ ଉଭୟ ପକ୍ଷର କମାଣ୍ଡର ସ୍ତରରେ ଆଲୋଚନା ହୋଇଥିଲା। ମାତ୍ର ଚୀନ୍ ସେନା ପୂନର୍ବାର ଆପତ୍ତିଜନକ ପଦକ୍ଷେପ ନେବାରୁ ଉତ୍ତେଜନା ବୃଦ୍ଧିପାଇଛି। ଏଭଳି ସ୍ଥିତିରେ ଭାରତ ପ୍ରତିରକ୍ଷାତ୍ମକ ପଦକ୍ଷେପ ନେଇ ଚୀନ୍ ସେନାର ଏଭଳି ଉଦ୍ୟମକୁ ପଣ୍ଡ କରିଦେଇଛି। ଭାରତ ସରକାର ଚୀନ କର୍ତ୍ତୃପକ୍ଷଙ୍କ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି। ଅପରପକ୍ଷରେ ଚୀନ ଭାରତର ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ନୂଆଦିଲ୍ଲୀରେ ଥିବା ଚୀନ ଦୂତାବାସର ମୁଖପାତ୍ର ନୂଆଦିଲ୍ଲୀର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।