ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚମାସ ତଥା ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପୂର୍ବତଟ ରେଳପଥ ପ୍ରାୟ ୭୨.୨ ନିୟୁତ ଟନ୍ ମାଲ ପରିବହନ କରିଛି। ଲକଡାଉନ ପ୍ରଭାବ ଯୋଗୁଁ ବିଭିନ୍ନ କଳକାରଖାନା ବନ୍ଦ ଓ ସ୍ୱଳ୍ପ କର୍ମଚାରୀ ନେଇ କାର୍ଯ୍ୟ କରିବା ସତ୍ୱେ ମଧ୍ୟ ପୂର୍ବତଟ ରେଳପଥ ଏହାର ମାଲ ବୋଝେଇ ଓ ପରିବହନ କାର୍ଯ୍ୟ ଜାରି ରଖିଛି। ଏହାସହ ଜରୁରୀ ଦ୍ରବ୍ୟକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ସଫଳ ହୋଇଛି। କେବଳ ଅଗଷ୍ଟ ମାସରେ ପୂର୍ବତଟ ରେଳପଥ ୧୫.୧୧ ନିୟୁତ ଟନ୍ ମାଲ ପରିବହନ କରିଛି। ଯାହାକି ୨୦୧୯ ଅଗଷ୍ଟ ମାସ ତୁଳନାରେ ୧.୭୬ ନିୟୁତ ଟନ୍ ଓ ହାରାହାରି ୫.୩ ଶତକଡା ଅଧିକ ପରିବହନ ହାସଲ କରିଛି।
ସେହିପରି ଚଳିତ ଆର୍ଥିକ ବର୍ଷର ଏହି ପାଞ୍ଚମାସ ମଧ୍ୟରେ ପୂର୍ବତଟ ରେଳପଥ ଦୈନିକ ପ୍ରାୟ ୭୧୩୫ଟି ୱାଗନର ବ୍ୟବହୃତ କରୁଥିବା ବେଳେ କେବଳ ଅଗଷ୍ଟ ମାସରେ ଦୈନିକ ପ୍ରାୟ ୭୩୭୮ ବ୍ୟବହୃତ କରିଛି। ଯାହାକି ୨୦୧୯ ଅଗଷ୍ଟ ମାସ ତୁଳନାରେ ୩୬୩ ଟି ଏବଂ ୫.୨ ଶତକଡା ଅଧିକ ଅଟେ। ଏହି ସଫଳତା ପାଇଁ ପୂର୍ବତଟ ରେଳପଥ ଏହାର ସମସ୍ତ ରେଳମଣ୍ଡଳର ପରିଚାଳନା ଓ ଯାନ୍ତ୍ରିକ ବିଭାଗର ସମସ୍ତ କର୍ମଚାରୀଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ଏହାସହିତ ରେଳପଥର ଭାଗିଦାରୀ ଯଥା କୋଲିଆରି, ପୋର୍ଟ, ଷ୍ଟିଲ୍ ପ୍ଲାଣ୍ଟ, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଓ ଫୁଡ କର୍ପୋରେସନ ଅଫ ଇଣ୍ଡିଆର ସହଯୋଗ ପଣ୍ୟ ପରିବହନ ବୃଦ୍ଧି ପାଇଁ ସହାୟକ ହୋଇପାରିଛି।