ଭୁବନେଶ୍ୱର,ଏନ୍ଏନ୍ଏସ୍: ୟୁଜିସି ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟର ଫାଇନାଲ ପରୀକ୍ଷା ଏବଂ ପୋଷ୍ଟ ଗ୍ରାଜୁଏଟ ଶେଷବର୍ଷ ସେମିଷ୍ଟର ଫାଇନାଲ ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ।
ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ଅଫଲାଇନ୍, ଅନଲାଇନ୍, ବ୍ଲେଣ୍ଡେଡ (ଅନଲାଇନ +ଅଫଲାଇନ) ମଲ୍ଟିପୁଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓଏମଆର ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ କରାଯାଇପାରିବ। ସଂପୃକ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟମାନେ ଉପଯୁକ୍ତ ପରୀକ୍ଷା ପଦ୍ଧତି ବିଷୟରେ ନିଷ୍ପତ୍ତି ନେବେ। ସୋମବାର ଭିଡିଓ କନଫେରନ୍ସ ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କର ଅନୁଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ, ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଭିଡିଓ କନଫେରନ୍ସି ମାଧ୍ୟମରେ ଯୋଗ ଦେଇଥିଲେ। ୟୁଜିସି ମାର୍ଗଦର୍ଶିକା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ, ସେମାନଙ୍କ ନିମନ୍ତେ କୋଭିଡ୍-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ/ସଂୟଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ୍ ଏବଂ ପେପର ମୋଡରେ ଡିସେମ୍ବର, ୨୦୨୦ରେ କରିବାପାଇଁ ବ୍ୟବସ୍ଥା କରାଯିବ। ଏଥିସହିତ ଫାଇନାଲ ସେମିଷ୍ଟର ବା ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ବ୍ୟାକ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।