ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାଁନ୍ତି

ନୂଆଦିଲ୍ଲୀ, ଏଜେନ୍ସି: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଅସୁସ୍ଥତା କାରଣରୁ ଅଗଷ୍ଟ ୧୦ରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ପରଲୋକ ହୋଇଛି। ସେ୧୯୩୫ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ  ଭାରତର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ।

ସେ ଭାରତରତ୍ନ ଓ ପଦ୍ମବିଭୁଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।  ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ ପ୍ରଣବ ଦା’
ଗାନ୍ଧୀ ପରିବାରର ବିଶ୍ୱସ୍ତ କୁହାଯାଉଥିବା ପ୍ରଣବ ମୁଖାର୍ଜୀ ୧୯୭୩ ମସିହାରେ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍ରେ ପ୍ରଥମେ ଯୋଗ ଦେଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ପ୍ରଣବ ଦା’ଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ମାତ୍ର ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ରାଜୀବ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଣବ ମୁଖାର୍ଜୀଙ୍କୁ କ୍ୟାବିନେଟ୍ରେ ସ୍ଥାନ ମିଳିଲା ନାହିଁ। ସେ ଇନ୍ଦିରାଙ୍କ ଉତ୍ତରାଧିକାରୀ ହେବାକୁ ଉଦ୍ୟମ କରୁଥିଲେ ବୋଲି ଚର୍ଚ୍ଚା ହେବା ପରିପ୍ରେକ୍ଷୀରେ ରାଜୀବ ତାଙ୍କୁ କ୍ୟାବିନେଟ୍ରେ ସ୍ଥାନ ଦେଇନଥିଲେ। ୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପ୍ରଣବ ଦା’ଙ୍କ ରାଜନୈତିକ କ୍ୟାରିୟର ପୁନର୍ଜୀବିତ ହୋଇଥିଲା ଯେତେବେଳେ ପି ଭି ନରସିଂହରାଓ ତାଙ୍କୁ ଭାରତୀୟ ଯୋଜନା ଆୟୋଗର ଉପାଧ୍ୟକ୍ଷ ଓ ପରବର୍ତ୍ତୀ ସମୟରେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।

ପ୍ରଣବଙ୍କ ଲିଖିତ ପୁସ୍ତକ:
୧. ମିଡଟର୍ମ ପୁଲ୍
୨. ବିୟଣ୍ଡ ସର୍ଭାଇଭାଲ: ଏମର୍ଜିଂ ଡାଇମେନସନ୍ସ ଅଫ ଇଣ୍ଡିଆନ୍ ଇକୋନୋମି ୧୯୮୭
୩. ସାଗା ଅଫ୍ ଷ୍ଟ୍ରଗଲ ଆଣ୍ଡ ସାକ୍ରିଫାଇସ୍ (୧୯୯୨)
୪. ଚାଲେଞ୍ଜ ବିଫୋର୍ ଦି’ ନେସନ(୧୯୯୨)
୫. ଏ ସେଣ୍ଟେନାରୀ ହିଷ୍ଟ୍ରି ଅଫ୍ ଦି’ ନ୍ୟାସନାଲ୍ କଂଗ୍ରେସ (୨୦୧୧)
୬. କଂଗ୍ରେସ ଆଣ୍ଡ ଦି ମେକିଂ ଅଫ ଦି ଇଣ୍ଡିଆନ ନେସନ୍ (୨୦୧୧)
୭. ଥଟ୍ସ ଆଣ୍ଡ ରିଫ୍ଲେକ୍ସନ୍ସ (୨୦୧୪)
୮. ଦି ଡ୍ରାମାଟିକ ଡିକେଡ: ଦି ଇନ୍ଦିରା ଗାନ୍ଧୀ ୟର୍ସ (୨୦୧୪)
୯. ସିଲେକ୍ଟେଡ୍ ସ୍ପିଚେସ୍-ପ୍ରଣବ ମୁଖାର୍ଜୀ (୨୦୧୫)
୧୦. ଦି’ ଟର୍ବୁଲେଣ୍ଟ ୟର୍ସ (୧୯୮୦-୯୬), (୨୦୧୬)
ସମ୍ମାନ ଓ ପୁରସ୍କାର
ରାଷ୍ଟ୍ରୀୟ ସମ୍ମାନ:
୧. ପଦ୍ମବିଭୂଷଣ (୨୦୦୮)
୨. ଭାରତରତ୍ନ (୨୦୧୯)
ବିଦେଶରୁ ସମ୍ମାନ:
୧. ବାଂଲାଦେଶ ଲିବେରେସନ୍ ୱାର୍ ଅନର୍ (ବାଂଲାଦେଶ ମୁକ୍ତିଯୋଦ୍ଧା ସମ୍ମାନ)(୫ ମାର୍ଚ୍ଚ ୨୦୧୩)
୨. ଗ୍ରାଣ୍ଡ କ୍ରସ ଅଫ ନ୍ୟାସନାଲ୍ ଅର୍ଡର ଅଫ ଦି ଆଇଭୋରୀ କୋଷ୍ଟ (ଜୁନ୍ ୨୦୧୬, ଆଇଭୋରୀ କୋଷ୍ଟ୍)
୩. ଗ୍ରାଣ୍ଡ କଲର ଅଫ୍ ଦି ଅର୍ଡର ଅଫ ମାକାରୋଇସ ୩ (୨୮ ଏପ୍ରିଲ ୨୦୧୭, ସାଇପ୍ରସ)