ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବମ୍ ସ୍କ୍ୱାଡ୍ ମକଡ୍ରିଲ ଅନୁଷ୍ଠିତ ହୋଇଛି। କୌଣସି ଆତଙ୍କବାଦୀ କିମ୍ବା ଶତ୍ରୁ ବିମାନବନ୍ଦର ଭିତରକୁ ପଶି ବମ ଲଗାଇ କୌଣସି ଆତଙ୍କୀ କାର୍ଯ୍ୟକଳାପ କଲେ ତାକୁ କିପରି ରୋକାଯାଇ ପାରିବ ସେନେଇ ଏହି ମକଡ୍ରିଲରେ ଅଭ୍ୟାସ କରାଯାଇଛି। ବମକୁ ଡିଫ୍ୟୁଜ କରି ବିସ୍ଫୋରଣକୁ ରୋକିବା, ଲୋକଙ୍କୁ ସୁରକ୍ଷିତ ରଖିବା, ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ସୁରକ୍ଷାକର୍ମୀ ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ କି କି ପଦକ୍ଷେପ ଗ୍ରହଣ କରିବେ ସେନେଇ ଅଭ୍ୟାସ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିୟମାବଳୀ ଅନୁସାରେ ପ୍ରତିବର୍ଷ ବିମାନବନ୍ଦର ଗୁଡ଼ିକରେ ଏପରି କର୍ମଶାଳା ଆୟୋଜନ କରାଯାଏ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି। ଏହି ସମୟରେ ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି, ମୁଖ୍ୟ ସୁରକ୍ଷା ଅଧିକାରୀ ସୁବାଷ ଭୋଇ, ଆଇବି ଟିମ୍, ବମ ଡିଫ୍ୟୁଜିଙ୍ଗ ସ୍କାଡ, ଅଗ୍ନିଶମ ବିଭାଗ ପ୍ରମୁଖ ଉପସ୍ଥିତ ଥିଲେ।