କୋରାପୁଟରୁ ୯୧ ପଜିଟିଭ ଚିହ୍ନଟ: ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ନାସାରେ ମାମଲା

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୨୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭୦କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳରୁ ୨୯ଜଣ, ଜୟପୁର ପୌରାଞ୍ଚଳରୁ ୩୧, ସୁନାବେଡ଼ା ପୌରାଞ୍ଚଳରୁ ୧୨ ଓ କୋଟପାଡ଼ ଏନଏସି ଅନ୍ତର୍ଗତ ଜେଲ୍ ରୋଡରୁ ଜଣେ ରହିଛନ୍ତି। ସେହିପରି ସେମିଲିଗୁଡ଼ା ପାକଝୋଲା, କୋରାପୁଟ ବ୍ଲକ୍ ମନୋବାର୍, ଡାଙ୍ଗଦେଉଳା, ମସ୍ତିପୁଟ, ସିଆଇଏସଏଫ୍ ନାଲକୋ ଓ ନାଲକୋ ଦାମନଯୋଡି, କୁନ୍ଦୁରା ବ୍ଲକ୍ ଡଙ୍ଗରପାଉଁସିରୁ ଜଣେ ଲେଖାଏଁ, ନାରାୟଣପାଟଣା ଓ ପଟ୍ଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦାରୁ ୨ଜଣ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଟିଏମସି କେନ୍ଦ୍ରରୁ ୮ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୨୬ଜଣ ଓ ୫୭ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ, କରୋନା ନିୟନ୍ତ୍ରଣ ନିମନ୍ତେ ସରକାର ଓ ଜିଲ୍ଲା ପ୍ରଶାସନ ଜାରି କରୁଥିବା ଗାଇଡଲାଇନକୁ କିଛି ଲୋକ ମାନୁନଥିବାରୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହିତ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ନ୍ୟାସନାଲ୍ ସିକ୍ୟୁରିଟି ଆକ୍ଟ (ନାସା)ରେ ମାମଲା ରୁଜୁ କରାଯାଇ ଗିରଫ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ତେଣୁ ଜନସାଧାରଣ ପ୍ରଶାସନକୁ ସହଯୋଗ କରିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।