ଆମରଣ ଅନଶନରେ ବସିଲେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ ଜିଲ୍ଲାଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଥିବା ବେଳେ ଏହାର ରକ୍ଷଣାବେକ୍ଷଣା ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ଜନଅସନ୍ତୋଷ ବଢି ଚାଲିଛି। ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପ୍ରତି ଅଣଦେଖା କରୁଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ
ଅନଶନରେ ବସିଛନ୍ତି। ୪୯ନଂ ଜାତୀୟ ରାଜପଥ ପ୍ରସସ୍ତିକରଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥାର ବେପରୁଆ ମନୋଭାବ ଯୋଗୁଁ ବାରକୋଟ ବ୍ଲକ ମୁଖ୍ୟାଳୟ ଠାରୁ ବାହାଡାପଶି ଛକ ଯାଏଁ ରାସ୍ତା ମରଣଯନ୍ତ୍ରା ପାଲଟିଛି। ସାମାନ୍ୟ ବର୍ଷା
ହେଲେ ଜାତୀୟ ରାଜପଥରେ ଯିବା ଆସିବା ଅସମ୍ଭବ ହୋଇପଡୁଛି। ଠିକା ସଂସ୍ଥା ଜାଣିଶୁଣି ଉକ୍ତ ରାସ୍ତାର ମରାମତି କରୁ ନ ଥିବାରୁ ଅଞ୍ଚଳବାସୀ ଏ ସମ୍ପର୍କରେ ଜିଲ୍ଲାପ୍ରଶାସନଙ୍କ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ  ଆଜି ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।