ମାନିଲା,ଏଜେନ୍ସି: ଫିଲିପାଇନ୍ସର ଜୋଲୋ ଟାଉନରେ ଦୁଇଟି ବିସ୍ଫୋରଣରେ ଅନ୍ୟୁନ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣ ମଧ୍ୟରେ ଜଣେ ଆତ୍ମଘାତୀ ମହିଳା ସମ୍ପୃକ୍ତ ଥିବା ଜଣାପଡିଛି। ଫିଲିପାଇନ୍ସର ରେଡକ୍ରସ ମୁଖ୍ୟ ରିଚାର୍ଡ ଗର୍ଡନ କହିଛନ୍ତି ସୋମବାର ଅପରାହ୍ଣରେ ପ୍ରଥମ ବିସ୍ଫୋରଣ ସୁଲୁ ପ୍ରଦେଶର ରାଜଧାନୀରେ ଘଟିଛି। ଏଥିରେ ୫ ଜଣ ସୈନ୍ୟ ଓ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟତ୍ର ଜଣେ ଆତ୍ମଘାତୀ ମହିଳା ବିସ୍ଫୋରଣ ଘଟାଇବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ବିସ୍ପୋରଣରେ ଅନ୍ୟୁନ ୨୪ ଜଣ ସୈନ୍ୟ ଆହତ ହୋଇଛନ୍ତିି। ଏଭଳି ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ଏ ପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ତେବେ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ପକ୍ଷରୁ ଏଭଳି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି। ଆତଙ୍କବାଦୀମାନେ ଆକ୍ରମଣ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେବେ ସୁରକ୍ଷାକର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆତଙ୍କୀମାନେ ବିସ୍ଫୋରଣ ଘଟାଇଛନ୍ତି। ରିଜିଓନାଲ ମିଲିଟାରୀ କମାଣ୍ଡର ଜେନେରାଲ କ୍ରୋଲେଟୋ ଭିନଜୁଆନ କହିଛନ୍ତିି, ସୁଲୁ ପ୍ରଦେଶର ଜୋଲୋ ସହରରେ ଥିବା ଗୋଟିଏ ଗ୍ରୋସରୀ ଓ କମ୍ପ୍ୟୁଟର ଦୋକାନ ଆଗରେ ଦୁଇଟି ସେନା ଗାଡି ଛିଡ଼ା ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ବାଇକ ଦ୍ୱାରା ବିସ୍ଫୋରଣ କରିଥିଲେ।