ପାଟଣା ରେଞ୍ଜରେ ହାତୀ ଉପଦ୍ରବ: ଖାଇଲେ ଧାନ, ଭାଙ୍ଗିଲେ ଘର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଧୀନ ଗୋରାଣ୍ଡି ଯୋଡ଼ି ଫରେଷ୍ଟ ବିଟ ଅଧୀନ ମଙ୍ଗଳପୁର, ବାଇକଳକ୍ଷ, ଗୋଜିଟାଙ୍ଗିରୀ, ତଣ୍ଡ, ବାଲିତୋଟା ଆଦି ଗାଁ ଗୁଡିକରେ ଏକ ସପ୍ତାହ ଧରି ହାତୀ ପଲଙ୍କ ଉପଦ୍ରବ ଲାଗି ରହିଛି। ୨୨ ଟିକିଆ ହାତୀପଲ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନାଞ୍ଚଳରୁ ଆସି ବଡ଼ ଦେଉଳି ଜଙ୍ଗଲରେ ଦିନସାରା ରହି ସନ୍ଧ୍ୟାବେଳକୁ ଦେଓ ନଦୀପାର ହୋଇ ଉକ୍ତ ଗ୍ରାମ ଗୁଡିକରେ ଉପଦ୍ରବ କରି ଚାଷ ଜମି ଗୁଡ଼ିକ ନଷ୍ଟ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ବରବେଡା ଗ୍ରାମର ପ୍ରଭାକର ମହାନ୍ତ, ଗୋଜିଟାଙ୍ଗିରି ଗ୍ରାମର ବୁଧୁମୁଣ୍ଡା ଓ ଖୁଣ୍ଟାପଡା ଗ୍ରାମର ବନମାଳୀ ମୁଣ୍ଡାଙ୍କ ଘର ଭାଙ୍ଗିବାସହ ଧାନ ଓ ଚାଉଳ ଖାଇଦେଇଛନ୍ତି। ହାତୀ ପଲଙ୍କୁ ଶୀଘ୍ର ଘଉଡାଇବା ସହିତ ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।