କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା-ଆନ୍ଧ୍ର ଓଡିଶା ସୀମାନ୍ତ ରାଲେଗାଡ଼ା ପଞ୍ଚାୟତ ଚିକପଣଶା ନଦୀରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସୁଆପାଲି ଗ୍ରାମର ଲକ୍ଷ୍ଣଣ ରାଓ ଗେଦେଲ (୫୦) ଅତ୍ୟାବଶ୍ୟକ ଜିନିଷ ପାଇଁ ଓଡିଶା ସୀମାନ୍ତ ଆନ୍ଧ୍ରର ଏକ ଗ୍ରାମକୁ ଯାଇଥିଲେ। ସେଠାରୁ ଚିକପଣଶା ନଦୀରେ ପହଁରି ଗାଁକୁ ଫେରୁଥିବାବେଳେ ଭସି ଯାଇ ଶୁକ୍ରବାର ଠାରୁ ନିଖୋଜ ଥିଲେ। ଖବରପାଇ ମାଲକାନଗିରି ଅଗ୍ନିଶମ ଓଡ୍ରାଫ ଟିମ୍ ଓ ଚିତ୍ରକୋଣ୍ଡା ତହସିଲ କର୍ମଚାରୀଙ୍କ ଉଦ୍ୟମରେ ଆଜି ଲକ୍ଷ୍ଣଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା ପ୍ରକାଶ କରିଛନ୍ତି। ଏନେଇ ପାପର ମେଟଲା ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ପ୍ରକାଶ ଥାଉକି, ସୁଆପାଲି ଚିକପଣଶାକୁ ଯୋଗାଯୋଗ କରିବାକୁ ହେଲେ ଏହି ନଦୀ ଏକମାତ୍ର ଭରସା। ତେଣୁ ଉକ୍ତ ନଦୀଉପରେ ନୂଆ ବ୍ରିଜ ନିର୍ମାଣ ପାଇଁ ରାଲେଗାଡ଼ା ପଞ୍ଚାୟତବାସୀ ଦାବି କରିଛନ୍ତି।