ଦିଲ୍ଲୀରୁ ଧରାପଡ଼ିଲା ଆଇଏସଆଇଏସ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଆଇଏସଆଇଏସର ଜଣେ ଆତଙ୍କବାଦୀକୁୁ ରାଜଧାନୀରୁ ଗିରଫ କରିଛିି। ଉକ୍ତ ଆତଙ୍କବାଦୀ ପାଖରୁ ଆଇଡି ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଓ କିଛି କାଗଜପତ୍ର ଜବତ କରାଯାଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି କି, ଗତକାଲି ଧୌଲାକୂଆଁ ରିଙ୍ଗରୋଡରେ ଏନକାଉଣ୍ଟର ବେଳେ ମହମ୍ମଦ ୟୁସୁଫ ନାମକ ଆତଙ୍କବାଦୀ ଧରାପଡ଼ିଥିଲା।

ଗତକାଲି ରାତି ପାଖାପାଖି ୧୧ଟା ୧୨ ସମୟରେ ଦିଲ୍ଲୀ ପୁଲିସ ଆର୍ମି ସ୍କୁଲ ପାଖରେ ବାଇକରେ ଯାଉଥିବା ଆତଙ୍କବାଦୀଙ୍କ ପିଛା କରିଥିଲା। ବାଇକରେ ବସିଥିବା ବ୍ୟକ୍ତି ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଏହାର ଜବାବ ଦେବାକୁ ଯାଇ ପୁଲିସ ମଧ୍ୟ ୫ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲା। ଶେଷରେ ମହମ୍ମଦକୁ କାବୁ କରିବାରେ ପୁଲିସ ସଫଳ ହୋଇଥିଲା। କିନ୍ତୁ ତା’ର ୨ ସାଥୀ ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ୩ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ଏଜେନ୍ସି ତରଫରୁ ସୂଚନା ମିଳିଥିଲା। ସେଥିପାଇଁ ଦିଲ୍ଲୀରେ ପୂର୍ବରୁ ହାଇ ଆଲର୍ଟ ଜାରି କରାଯାଇଥିଲା। ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଅନେକ ନାମିଦାମୀ ହସ୍ତି ରହିଛନ୍ତି। ହେଲେ ଏହି ନାମିଦାମୀ ବ୍ୟକ୍ତି କିଏ ସେସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଦିଲ୍ଲୀ ପୁଲିସର କହବାନୁସାରେ, ଫେରାର ଥିବା ଆତଙ୍କବାଦୀଙ୍କୁ ଯଥାଶୀଘ୍ର ଧରାନଗଲେ ତାହା ଆଗାମୀ ଦିନରେ ଚିନ୍ତା ବଢ଼ାଇବ। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସର ୬ଟି ଭିନ୍ନ ଭିନ୍ନ ଟିମ୍ ଭିନ୍ନ ଭିନ୍ନ ଜାଗାରେ ଯାଞ୍ଚ କରୁଛନ୍ତି।