ବାଲିଗୁଡ଼ା,ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ମାଟ୍ରିକ ଟପ୍ପର ମିନାକ୍ଷୀ ମଲିକଙ୍କୁ ଆଜି ଭୁବନେଶ୍ୱରସ୍ଥିତ କୁଇଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି। ପରିଷଦର ସଭାପତି ପ୍ରତାପ ପ୍ରଧାନ, ପ୍ରଦୀପ କହଁର ଓ ଅନ୍ୟମାନେ ମିନାକ୍ଷୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରିଛନ୍ତି। ମିନାକ୍ଷୀ ଓ ତାଙ୍କ ପରିବାର ଏହି ଆର୍ଥିକ ସହାୟତାରେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ମିନାକ୍ଷୀ କହିଛନ୍ତି ଆଗାମୀ ଦିନରେ ମୁଁ ଜଣେ ଭଲ ଡାକ୍ତର ହେବାପାଇଁ ଆଶା ରଖିଛି। ପୂର୍ବରୁ ମିନାକ୍ଷୀଙ୍କ ଉଚ୍ଚ ଶିକ୍ଷାପାଇଁ କିଟ୍ ଓ କିସ୍ ଅନୁଷ୍ଠାନର ମୁଖ୍ୟ ତଥା କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ସହାୟତା ପାଇଁ ମଧ୍ୟ ଘୋଷଣା କରିସାରିଛନ୍ତି। ପ୍ରକାଶ ଯେ, ପେନାକେତା ଗ୍ରାମର ଗରିବ ଆଦିବାସୀ ଝିଅ ମିନାକ୍ଷୀ ମଲିକ ତୁମୁଡିବନ୍ଧ ବ୍ଲକର ଜଲୋପଟା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ( ଆଶ୍ରମ)ରେ ପାଠପଢି ଚଳିତ ମାଟ୍ରିକ ପରୀକ୍ଷାରେ ୫୫୬ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଟପ୍ପର ହୋଇଛନ୍ତି।