ଦିନକରେ ୫୩ ହଜାରରୁ ଊର୍ଦ୍ଧ୍ୱ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ୫୩ ହଜାର ୪୭୮ କରୋନା ନମୁନା ପରୀକ୍ଷା ହୋଇଥିବାର ଖବର ମିଳିଛି। ଏଥିମଧ୍ୟରୁ ୪୭ ହଜାର ୫୧୨ ଜଣଙ୍କର ଆଣ୍ଟିଜେନ, ୫ ହଜାର ୮୪୯ଟି ଆରଟିପିସିଆର୍ ଓ ୧୧୭ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬ ହଜାର ୫୬୪ କରୋନା ନମୁନା ପରୀକ୍ଷା ହୋଇଛି।

କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୦ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଖୁସିର ଖବର ବୋଲି କୁହାଯାଇଛି।