ନୂଆଦିଲ୍ଲୀ, ଏଜେନ୍ସି : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ କରିବ ସିବିଆଇ। ସୁପ୍ରିମକୋର୍ଟ ଏଭଳି ଆଦେଶ ଦେବାପରେ ସୁଶାନ୍ତଙ୍କ ପରିବାର ସଦସ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୁଶାନ୍ତଙ୍କ ପରିବାର ଏକ ବିବୃତି ଜାରି କରି କହିଛନ୍ତି, ଦୋଷୀଙ୍କୁ ତାଙ୍କର ଅପରାଧ ପାଇଁ ଦଣ୍ଡ ମିଳିବ ବୋଲି ଆମର ପୂରା ବିଶ୍ୱାସ ହୋଇଛି। ସୂଚନାଯୋଗ୍ୟ, ଜୁଲାଇ ୨୫ ତାରିଖରେ ସୁଶାନ୍ତଙ୍କ ପରିବାର ପାଟନାରେ ସୁଶାନ୍ତଙ୍କ ବାନ୍ଧବୀ ରୀୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏଫଆଇଆର ଦେଇଥିଲେ। ଏହି ମାମଲା ସିବିଆକୁ ଦେବାପାଇଁ ନୀତିଶ କୁମାର ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ସିବିଆଇ ଏହି ମାମଲାର ଯାଞ୍ଚ କରୁ ବୋଲି ବିଭିନ୍ନ ଦିଗରୁ ଦାବି ମଧ୍ୟ ହୋଇଆସୁଥିଲା। ଶେଷରେ ସୁପ୍ରିମ କୋର୍ଟଙ୍କ ଆଦେଶରେ ସିବିଆଇ ଏହି ମାମଲାର ଯାଞ୍ଚ କରିବାକୁ ଯାଉଛି। ଏହି ପୂରା ମାମଲାରେ ସୁଶାନ୍ତଙ୍କର କୋଟି କୋଟି ପ୍ରଶଂସକ ତାଙ୍କ ପରିବାରକୁ ସମର୍ଥନ କରିଥିବାରୁ ପରିବାର ପକ୍ଷରୁ ଧନ୍ୟବାଦପତ୍ର ଜାରି କରାଯାଇଛି। ମଲ୍ଲିକା ସିଂହ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏ ବିଷୟରେ ଲେଖିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ମିତ୍ର, ଶୁଭଚିନ୍ତକ, ମିଡିଆ ଏବଂ କୋଟି କୋଟି ପ୍ରଶଂସକଙ୍କୁ ସୁଶାନ୍ତଙ୍କ ପରିବାର ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ। ସୁଶାନ୍ତଙ୍କ ପ୍ରତି ଆପଣଙ୍କ ଆଦର, ସ୍ନେହ ଓ ସମର୍ଥନ ଯୋଗୁଁ ଏହା ସମ୍ଭବ ହୋଇପାରିଲା। ଏଥିପାଇଁ ଆମେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିଶେଷ ଧନ୍ୟବାଦ ଦେଉଛୁ।