ମୁମ୍ବାଇ, ଏଜେନ୍ସି: ସୋମବାର ସନ୍ଧ୍ୟାରେ ହିନ୍ଦୀ ଓ ମରାଠୀ ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ପଚାଶ ବର୍ଷ ହୋଇଥିଲା। ନିଶିକାନ୍ତଙ୍କ ପରଲୋକରେ ଅଭିନେତା ଅଜୟ ଦେବଗନ ଓ ରୀତେଶ ଦେଶମୁଖ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ ହୋଇ ନିଶିକାନ୍ତ ଜୁଲାଇ ୩୧ ତାରିଖରୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ନିଶିକାନ୍ତ ‘ମଦାରି’, ‘ରକି ହ୍ୟାଣ୍ଡସମ୍’ ଓ ‘ଦୃଶ୍ୟମ୍’ ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ୨୦୧୫ରେ ମୁକ୍ତିପ୍ରାପ୍ତ ‘ଦୃଶ୍ୟମ୍’ ତାଙ୍କୁ ବେଶ୍ ସଫଳତା ଦେଇଥିଲା। ଏଥିରେ ନାୟକ ଭାବେ ଅଭିନୟ କରିଥିଲେ ଅଜୟ ଦେବଗନ। ଅଗଷ୍ଟ ୧୩ ତାରିଖରେ ନିଶିକାନ୍ତ ବିପଦମୁକ୍ତ ଅଛନ୍ତି ବୋଲି ହସ୍ପିଟାଲ୍ ପକ୍ଷରୁ ଜାରି ଏକ ବୁଲେଟିନରେ କୁହାଯାଇଥିଲା। ମାତ୍ର ସେହି ସମୟରେ ସେ ଆଇସିୟୁରେ ଡାକ୍ତରଙ୍କ ନିରୀକ୍ଷଣରେ ହିଁ ଥିଲେ। ନିଶିକାନ୍ତ ୨୦୦୫ରେ ମରାଠୀ ଫିଲ୍ମ ‘ଡୋମ୍ବିବଲି ଫାଷ୍ଟ’ରୁ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ। କେବଳ ଜଣେ ସଫଳ ନିର୍ଦ୍ଦେଶକ ନୁହନ୍ତି, ଏକାଧିକ ଫିଲ୍ମରେ ଖୁବ୍ ସୁନ୍ଦର ଅଭିନୟ ବି କରିଛନ୍ତି ନିଶିକାନ୍ତ। ଏଗୁଡ଼ିକ ମଧ୍ୟରେ ରହିଛି – ‘ବେ ହାଥ୍ ଆନେ ଦେ’, ‘ସତଚ୍ୟା ଆତ ଘରାତ(ମରାଠୀ), ‘୪୦୪ ଏରର ନଟ୍ ଫାଉଣ୍ଡ’, ‘ରକି ହ୍ୟାଣ୍ଡସମ୍’, ‘ଡାଡି’, ‘ଜୁଲି-୨’ ଓ ‘ଭବେଶ ଯୋଶୀ’ ଇତ୍ୟାଦି। ଏକାଧିକ ବଲିଉଡ୍ କଳାକାର, ନିର୍ଦ୍ଦେଶକ ନିଶିକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।