ଟ୍ରାକ୍ଟର ଓଲଟି ୨ ମୃତ, ଜଣେ ଗୁରୁତର

ବାରିପଦା,ଏନ୍ଏନ୍ଏସ୍: ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମୋରଡ଼ା ଥାନା ଅନ୍ତର୍ଗତ ୬୧ନଂ ରାଜ୍ୟ ରାଜପଥ ବାରିପଦା-ଅମର୍ଦ୍ଦା ମୁଖ୍ୟ ରାସ୍ତାର ଝିଙ୍କିରିଆ ଛକ ନିକଟରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ପଡ଼ିଥିଲା।

ମୃତକ ଓ ଗୁରୁତରମାନେ ମୋରଡ଼ା ଥାନା ଅନ୍ତର୍ଗତ ବରକନ୍ଦ ପଞ୍ଚାୟତ ତେନ୍ତୁଳିବାଟି ଗ୍ରାମର ବୋଲି ଜଣାପଡିଛି। ମୃତକ ଦ୍ୱୟ ମଙ୍ଗଲ ମୁର୍ମୁ ଓ ଭୁଣ୍ଡା ମୁର୍ମୁ ଏବଂ ତାଙ୍କ ବୟସ ପାଖାପାଖି ୨୦ ବର୍ଷ। ସେହିପରି ଗୁରୁତର ଜଣଙ୍କ ଦୁଃଖିଆ ହେମ୍ବ୍ରମ। ତାଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ସେହି ସମୟରେ ଟ୍ରାକ୍ଟରରେ ୬ ଜଣ ଥିବାବେଳେ ୩ ଜଣଙ୍କ ଉପରେ ଗାଡିର ଇଞ୍ଜିନ ଚାପି ହୋଇଯାଇଥିଲା। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେହିପରି ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।