ଭ୍ରାମ୍ୟମାଣ କରତକଳ ସହ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ, ୩ ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତର କିରାବାହାଲ ଗାଁ ନିକଟ ଏକ ଜଙ୍ଗଲ ମଧ୍ୟରୁ ପୁଲିସ ବେଆଇନ ଭାବେ ଏକ ଭ୍ରମ୍ୟମାଣ କରତକଳ ଜବତ କରିଛି।ଏଥିସହିତ ବିପୁଳ ପରିମାଣର ପିଆସଲ ଓ ସାଗୁଆନ କାଠ ଗଣ୍ଡି ଓ ବ୍ୟବହୃତ ଟ୍ରାକ୍ଟରକୁ ଜବତ କରିବା ସହ ୩ ଜଣକୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ବନ ବିଭାଗର ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ଏସିଏଫ ବାବାଜୀ ଚରଣ ରାଉଳ ଓ ପାଟଣାଗଡ଼ ରେଞ୍ଜର ବାସୁଦେବ ନାଥ ଏବଂ ବନ କର୍ମଚାରୀ ମାନେ ଉକ୍ତ କିରାବାହଲ ଗ୍ରାମକୁ ଯାଇ ଚଢ଼ାଉ କରିଥିଲେ।

ସେହି ସମୟରେ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବେଆଇନ କରତକଳ ଚାଲୁଥିବା ଦେଖିବାକୁ ପାଇଥିଲେ। ସେହିପରି ଗିରଫ ୩ ଅଭିଯୁକ୍ତ ହେଲେ କାଡୋପାଣି ଗାଁର ନିରଞ୍ଜନ ବରିହା, କିରାବାହଲ ଗାଁର କ୍ଷେତ୍ରମଣି ସୁନା ଓ ଆଗଲପୁର ବେଗାନଖରୀର ଅଶ୍ୱିନୀ କୁମାର ସାହୁ। ସେମାନଙ୍କୁ ପାଟଣାଗଡ଼ ବନ ବିଭାଗର ଅଫିସକୁ ଆଣି ଅଧିକ ପଚରାଉଚୁରା କରାଯାଉଛି। ଜବତ କରିଥିବା କାଠର ଆନୁମାନିକମୂଲ୍ୟ ୨ ଲକ୍ଷ ଟଙ୍କା ଏବଂ ଟ୍ରାକ୍ଟର ଓ ଯନ୍ତ୍ରପାତିର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଡିଏଫଓ ସମୀର ଶତପଥୀ କହିଛନ୍ତି।