ମାଲକାନଗିରି,ଏନ୍ଏନ୍ଏନ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଡିଏନକେ ଖେଳ ପଡ଼ିଆଠାରେ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଞ୍ଚାୟତରାଜ, ପାନୀୟ ଜଳ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଜିଲ୍ଲାର ୩୦ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। କରୋନା ଯୋଗୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଥମକରି ଅଂଶଗ୍ରହଣ କରିନଥିବାବେଳେ ବିନା ଦର୍ଶକରେ ସ୍ୱାଧୀନତା ଦିବସ ପାଳିତ ହୋଇଛି। କେବଳ ପୁଲିସ ବିଭାଗର ଯବାନମାନେ ଅଂଶଗ୍ରହଣ କରିଥିବାବେଳେ ପରେଡ ମଧ୍ୟ ଅନୁଷ୍ଠିତ ହୋଇନଥିଲା। ଶେଷରେ ମନ୍ତ୍ରୀ ଶ୍ରୀ ଜେନା ସଂସ୍କୃତି ଭବନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମଡ଼କାମି, ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।