ନୂଆଦିଲ୍ଲୀ,ଏନ୍ଏନ୍ଏନ୍: ଦେଶର ୭୪ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କରୋନା ଭ୍ୟାକ୍ସିନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩ଟି ଭ୍ୟାକ୍ସିନ ଉପରେ କାର୍ଯ୍ୟ ଜାରି ରହିଥିବା ନେଇ ମୋଦୀ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ ଆଜି ଭାରତରେ ଗୋଟିଏ କି ଦୁଇଟି ନୁହେଁ ୩ଟି ଭ୍ୟାକ୍ସିନ ଟେଷ୍ଟିଂ ଚରଣରେ ପହଞ୍ଚିଯାଇଛି। ଉକ୍ତ ଭ୍ୟାକ୍ସିନକୁ ନେଇ ବୈଜ୍ଞାନିକ ସବୁଜ ସଙ୍କେତ ଦେବାପରେ ଦେଶରେ ତୁରନ୍ତ ବଡ଼ ଆକାରରେ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ।’
ମୋଦୀ ଆହୁରି କହିଛନ୍ତି କି, ‘ ଯେତେବେଳେ କରୋନା ଆରମ୍ଭ ହୋଇଥିଲା ସେତେବେଳ ଆମ ପାଖରେ ଟେଷ୍ଟିଂ ପାଇଁ ମାତ୍ର ଗୋଟିଏ ଲ୍ୟାବ୍ ଥିଲା। ଆଜି ଦେଶରେ ୧୪୦୦ରୁ ଅଧିକ ଲ୍ୟାବ ରହିଛି।’ ଆଜିଠୁ ଦେଶରେ ଆଉ ଏକ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ତାହା ହେଲା ‘ଆପଣଙ୍କ ପ୍ରତ୍ୟେକ ଟେଷ୍ଟ, ପ୍ରତ୍ୟେକ ରୋଗ, କେଉଁ ଡାକ୍ତର କେଉଁ ଔଷଧ ଦେଲେ, କେବେ ଦେଲେ ଓ ରିପୋର୍ଟ କ’ଣ ଥିଲା ଏସମସ୍ତ ସୂଚନା ଏକ ହେଲଥ ଆଇଡିରେ ସମାହିତ ହେବ। ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଅନ୍ତର୍ଗତ ଏହାକୁ ଆରମ୍ଭ କରାଯାଇଛି ଯାହାକି ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂଆ କ୍ରାନ୍ତି ଆଣିବ।’