ବିଭିନ୍ନ ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀ,ଏଜେନ୍ସି: ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ରାଷ୍ଟ୍ରପତି ଗଣମାଧ୍ୟମରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅବସରରେ ଦେଶର ୭୪ ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିବା ସହ ସ୍ୱାଧୀନତା ଦିବସ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ଭାରତର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ କୃତଜ୍ଞତାର ସହିତ ମନେ ରଖିବା ଉଚିତ୍। ସେହିପରି ଦେଶରେ କରୋନା ଭୂତାଣୁ ତାଣ୍ଡବ ରଚିଥିବା ବେଳେ ଭାରତରେ ଏହାର ମୁକାବିଲାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏଥିସହ କରୋନା ମୁକାବିଲା ପାଇଁ ନିୟୋଜିତ ଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀ, ପୁଲିସ ଆଦି କୋଭିଡ ଯୋଦ୍ଧାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ଏଥିସହିତ ଚୀନକୁ ସମାଲୋଚନା କରି ସେ କହିଛନ୍ତି ଯେ ମାନବ ଜାତି ଆଗରେ ଦେଖାଦେଇଥିବା କରୋନା ବିପଦର ମୁକାବିଲା ପାଇଁ ସମଗ୍ର ବିଶ୍ୱ ସମୁଦାୟ ଏକଜୁଟ ହେବା ଆବଶ୍ୟକ। କିନ୍ତୁ ଏହି ସଂକଟରେ ମୌକା ନେଇ ଆମର କେତେକ ପଡ଼ୋଶୀ ନିଜର ବିସ୍ତାରବାଦୀ ନୀତି ଜାରି ରଖିଛନ୍ତି। ଗଲଓ୍ଵାନ ସଂଘର୍ଷ ସଂପର୍କରେ ସେ କହିଛନ୍ତି ଯେ ଦେଶର ସୀମାର ସୁରକ୍ଷା ପାଇଁ ଓ ରାଷ୍ଟ୍ରୀୟ ସ୍ୱାଭିମାନ ପାଇଁ ଆମର ବୀର ଯବାନ ମାନେ ନିଜର ପ୍ରାଣବଳୀ ଦେଇଛନ୍ତି। ସାରା ଦେଶ ଗଲଓ୍ଵାନର ସହିଦମାନଙ୍କୁ ସଲାମ ଜଣାଉଛି। ଅନ୍ୟପକ୍ଷରେ ସେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ।

ଏଥରର ସ୍ୱାଧୀନତା ଦିବସ ଯଥାସମ୍ଭବ କମ ଲୋକଙ୍କୁ ନେଇ ପାଳନ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ ଦ୍ୱାରା ଜନସମାଗମକୁ କମ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।