ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଏମଭି-୧୧ ନିକଟସ୍ଥ ଏକ ଉଚ୍ଚ ସମ୍ପନ୍ନ ବିଶିଷ୍ଟ ପୋଲ ପଞ୍ଚାୟତରାଜ, ପାନୀୟ ଜଳ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଛି। ପୂର୍ବରୁ ଏହି ପୋଲର ଉଚ୍ଚତା କମ ଥିବାରୁ ବର୍ଷା ଋତୁର ବିଭିନ୍ନ ସମୟରେ ବର୍ଷା ଜଳ ପୋଲଉପରେ ପ୍ରବାହିତ ହୋଇ ମାଲକାନଗିରି –ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେଉଥିଲା। ତେଣୁ ଜନସାଧାରଣଙ୍କ ବହୁ ବର୍ଷର ଦାବି ପରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଜିଲ୍ଲାର କମ ଉଚ୍ଚତା ଥିବା ପୋଲଗୁଡ଼ିକ ନିକଟରେ ଉଚ୍ଚ ସମ୍ପନ୍ନ ଉଚ୍ଚତା ବିଶିଷ୍ଟ ପୋଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ପରେ ସରକାର ଏହି ପୋଲଗୁଡ଼ିକୁ ନିର୍ମାଣ କରିବାକୁ ଅର୍ଥ ମଞ୍ଜୁର କରିଥିଲେ। ତେବେ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କାଲିମେଳା କନ୍ୟାଶ୍ରମ, କୋରୁକୋଣ୍ଡା ପୋଲ, ତାର୍ଲାକୋଟା ପୋଲ ନିର୍ମାଣାଧିନ ରହିଛି।
ଆଜି ଏହି ଉଦଘାଟନ ଉତ୍ସବରେ ଶ୍ରୀ ଜେନା କହିଛନ୍ତି ଯେ ଏହି ପୋଲ ଦ୍ୱାରା ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ସୁଗମ ହେବ। ଏଥିସହ ଜିଲ୍ଲାର ଯେଉଁ ଯେଉଁ ସ୍ଥାନରେ ଏଭଳି ସମସ୍ୟା ରହିଛି, ସେଠାରେ ଏଭଳି ଉଚ୍ଚ ସମ୍ପନ୍ନ ବିଶିଷ୍ଟ ପୋଲ ନିର୍ମାଣ କରିବୁ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ପୂର୍ବତନ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଆଡମା ରାୱା, ମାଲକାନଗିରି ବ୍ଲକ୍ ଅଧ୍ୟକ୍ଷ ଅକ୍ଷୟ ନାୟକ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଦ୍ଧବ ଚରଣ ନାୟକ, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।