ସପ୍ତାହରେ ୩ ଲକ୍ଷରୁ ଊର୍ଦ୍ଧ ଜୋରିମାନା ଆଦାୟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅମାନିଆଙ୍କଠାରୁ ଗତ ୭ ଦିନରେ ଝାରସୁଗୁଡ଼ା ପୁଲିସ ୩ ଲକ୍ଷରୁ ଊର୍ଦ୍ଧ ଟଙ୍କାର ଜୋରିମାନା ଆଦାୟ କରିଛି। ମାସ୍କ ନପିନ୍ଧି ବାହାରକୁ ଆସିଥିବା ଲୋକଙ୍କଠାରୁ ୩ ଲକ୍ଷ ୩୧ ହଜାର ୩୦୦ ଟଙ୍କା ଆଦାୟ କରାଯାଇଥିବାବେଳେ ଏମଭି ଏକ୍ଟ ଉଲ୍ଲଙ୍ଘନ କରିଥିବା ଲୋକଙ୍କଠାରୁ ୮ ହଜାର ଟଙ୍କା ଓ ସାମାଜିକ ଦୂରତା ଉଲଙ୍ଘନକାରୀଙ୍କଠୁ ୧୨୦୦ ଟଙ୍କା ଆଦାୟ କରାଯାଇଛି। ସେହିପରି ଏହି ୭ ଦିନ ମଧ୍ୟରେ ପୁଲିସ ପକ୍ଷରୁ ମୋଟ ୪୯୧.୨ ଲିଟର ଦେଶୀ ମଦ, ୨୭.୧ ଲିଟର ବିଦେଶୀ ମଦ ଜବତ କରାଯିବା ସହ ୪୦ଟି ଅବକାରୀ ମାମାଲା ରୁଜୁ କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଗଷ୍ଟ ପହିଲାରୁ କୋଭିଡ ନିୟମ ଉଲଙ୍ଘନକାରୀଙ୍କଠାରୁ ଫାଇନ ଆଦାୟକୁ ଆହୁରି କଡ଼ାକଡ଼ି କରାଯାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ପୌରପରିଷଦ, ବ୍ଲକ ଓ ଗାଁ ଗାଁ ବୁଲି କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେନଇ ଲୋକଙ୍କୁ ଅବଗତ କରାଯାଉଛି। ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସର୍ବସାଧାରଣରେ ଛେପ ନ ପକାଇବା ତଥା ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି।