ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ମଧ୍ୟରେ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ଗାଇଡଲାଇନ ଅନୁସାରେ, ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ନେଇ ସମୟ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମରେ ପୁଲିସର କେବଳ ଗୋଟିଏ କିମ୍ବା ୨ଟି କଣ୍ଟିଜେନ ଉପସ୍ଥିତ ରହିବେ। ପୁଲିସ ପକ୍ଷରୁ କୌଣସି ପରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବନାହିଁ। କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି। ଏଥିସହିତ ମୋଟ ୭୦ରୁ ୭୫ଜଣ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରେ ୧୫ରୁ ୨୦ଜଣ କୋଭିଡ ଯୋଦ୍ଧା ସାମିଲ ହେବେ। ଇ-ଇନଭାଇଟ ଜରିଆରେ ଅତିଥୀଙ୍କୁ ନିମନ୍ତ୍ରିତ କରାଯିବ। ଉପସ୍ଥିତ ସମସ୍ତ ଅତିଥି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଉକ୍ତ ସ୍ଥଳକୁ ଭଲଭାବେ ସାନିଟାଇଜ କରାଯିବା ସହ ପ୍ରବେଶ ପଥରେ ସାନିଟାଇଜର ରଖାଯିବ। ଏହି ସମୟରେ ବୃକ୍ଷରୋପଣ ସହ ଅନଲାଇନ ପ୍ରବନ୍ଧ ଲେଖନୀ କିମ୍ବା କୁଇଜ ପ୍ରତିଯୋଗିତ ଅନୁଷ୍ଠିତ ହେବ। ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ ଏହି ସମସ୍ତ ନିୟମ ଅନୁସାରେ ସ୍ୱାଧୀନତା ଦିବସ ପାଳନ କରାଯିବ।