ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ାରୁ ଆଉ୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୫୫୯ ଜଣ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ପ୍ରଶାସନ ତରଫରୁ କଣ୍ଟାକ୍ଟ ଟ୍ରେସିଂ ଜୋରାଦାର କରାଯିବା ସହ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନ ଉପରେ ଅଧିକ ନଜର ରହିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡ଼ା ସହରରୁ ୧୩, ଗ୍ରାମାଞ୍ଚଳ ଓ ଗୁଣପୁରରୁ ୩ ଲେଖାଏଁ, ଗୁଡ଼ାରୀରୁ ୬, କଲ୍ୟାଣସିଂହପୁର ଓ ରାମନାଗୁଡ଼ାରୁ ଜଣେ ଲେଖାଏଁ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୩ଜଣ ପୁରୁଷ ଓ ୧୪ଜଣ ମହିଳା ଅଛନ୍ତି। ଆଉ ସମସ୍ତ ପଜିଟିଭ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ଜଣେ କୋଭିଡ ଯୋଦ୍ଧା ରହିଥିବା ଜଣାପଡ଼ିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୂରତା ବଜାୟ ରଖିବା, ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା ସହ ଆବଶ୍ୟକ ନଥିଲେ ବାହାରକୁ ନବାହାରିବା ପାଇଁ ରାୟଗଡ଼ା ସିଡିଏମଓ ଡା. ଆର୍ତବନ୍ଧୁ ନାୟକ ପରାମର୍ଶ ଦେଇଛନ୍ତି।