ଫେସବୁକ ଲାଇଭରେ ଆତ୍ମହତ୍ୟା କରୁଥିଲେ ଯୁବକ, ଦିଲ୍ଲୀ ପୁଲିସକୁ କଲ କରି ଜଣାଇଲେ ଆୟର୍ଲାଣ୍ଡର ଫେସବୁକ ଅଧିକାରୀ

ନୂଆଦିଲ୍ଲୀ,ଏଜେନ୍ସି: ଫେସବୁକରେ ଲାଇଭ ଆସି ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ଆୟର୍ଲାଣ୍ଡର ଫେସବୁକ ଅଫିସରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ଏହା ଜାଣିବା ମାତ୍ରେ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିଥିଲେ। ଯୁବକଙ୍କ ସୂଚନା ଦିଲ୍ଲୀ ପୁଲିସକୁ ଉପଲବ୍ଧ କରାଯାଇଥିଲା। ପରେ ପୁଲିସ ମାଣ୍ଡବାଲିରେ ଅବସ୍ଥିତ ଯୁବକଙ୍କ ଘରେ ମଧ୍ୟ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଫେସବୁକ, ଦିଲ୍ଲୀ ପୁଲିସ ଏବଂ ମୁମ୍ବାଇ ପୁଲିସର ମିଳିତ ଉଦ୍ୟମରେ ଯୁବକଟିର ଜୀବନ ବଞ୍ଚିଯାଇଛି। ଯୁବକଙ୍କ ଜୀବନ ରକ୍ଷା ହୋଇଥିବାରୁ ପରିବାର ଲୋକ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

ଦିଲ୍ଲୀ ପୁଲିସର ସାଇବର ସେଲର ଡେପୁଟି କମିଶନର ଡଃ ଅନିଶ ରୟ କହିଛନ୍ତି ଯେ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୫୧ ମିନିଟରେ ସେ ଆୟରଲ୍ୟାଣ୍ଡରୁ ଫେସବୁକ ଅଧିକାରୀଙ୍କଠାରୁ ଏକ କଲ ପାଇଥିଲେ। ମହିଳା ଅଧିକାରୀ ଜଣଙ୍କ ଜଣାଇଥିଲେ ଯେ, ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି। ଏବଂ ତାଙ୍କ ଫେସବୁକ ଆକାଉଣ୍ଟର ଅବସ୍ଥାନ ଦିଲ୍ଲୀ ଦେଖାଉଛି। ଫେସବୁକ୍ ଅଧିକାରୀଙ୍କ ଦ୍ୱାରା ଉକ୍ତ ଯୁବକ ଜଣଙ୍କର ମୋବାଇଲ ନମ୍ବର ମଧ୍ୟ ଉପଲବ୍ଧ କରାଯାଇଥିଲା। ମୋବାଇଲ ନମ୍ୱରକୁ ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ରାକ କରିବାରୁ ତାହା ପୂର୍ବ ଦିଲ୍ଲୀର ମାଣ୍ଡବାଲି ଅଞ୍ଚଳ ଦେଖାଇଥିଲା।​ ଅନିଷ ରୟ ତୁରନ୍ତ ଡେପୁଟି ଜିଲ୍ଲା ପୁଲିସ କମିସନର ଜସମିତ ସିଂଙ୍କ ସହ ଯୋଗାଯୋଗ କରିଥିଲେ। ମିଳିଥିବା ଠିକଣାରେ ତୁରନ୍ତ ସ୍ଥାନୀୟ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଏନେଇ ଯୁବକ ଜଣଙ୍କ ସହ କଥାବାର୍ତ୍ତା ପରେ ସେ କହିଛି ଯେ ହୋଟେଲରେ ରୋଷେୟା ଭାବରେ କାମ କରନ୍ତି। ଜୀବନରେ ଅସୁବିଧାରେ ପଡ଼ି ସେ ଏହି ପଦକ୍ଷେପ ନେବାକୁ ଚାହୁଁଥିଲେ। ପୁଲିସ ତାଙ୍କୁ ବୁଝାଇଥିଲା ଏବଂ ତାଙ୍କର କାଉନସେଲିଂ କରିଥିଲା।