ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡରେ ପାଇଖାନା ଟାଙ୍କିରେ କାମ କରୁଥିଲା ବେଳେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଦେଓଘର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କି ସଫା କରିବା ପାଇଁ ପ୍ରଥମେ ଜଣେ ଶ୍ରମିକ ଟାଙ୍କି ଭିତରେ ପ୍ରବେଶ କରିଥିଲେ। କିଛି ସମୟ ପରେ ସେ ଅଣନିଶ୍ୱାସୀ ହୋଇପଡିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ କାମ କରୁଥିବା କଣ୍ଟ୍ରାକ୍ଟର ଏବଂ ତାଙ୍କର ଦୁଇ ପୁଅ ମଧ୍ୟ ଉଦ୍ଧାର କରିବା ପାଇଁ ଟାଙ୍କି ଭିତରକୁ ଯାଇଥିଲେ। ହେଲେ ଉଦ୍ଧାର କରିବା ବଦଳରେ ସମସ୍ତେ ହତାଶ ହୋଇ ଟାଙ୍କି ଭିତରେ ଫସି ଯାଇଥିଲେ। ଏହା ପରେ ଶୌଚାଳୟ କାମ ପାଇଁ ନିୟୋଜିତ ଥିବା ଆଉ ଦୁଇ ଶ୍ରମିକ ବ୍ରଜେଶ ବର୍ଣ୍ଣୱାଲ ଏବଂ ମିଥିଲେଶ ବର୍ଣ୍ଣୱାଲ ଟାଙ୍କି ଭିତରକୁ ପଶି ଯାଇଥିଲେ। ମୋଟ୍ ଛଅ ଜଣ ଟାଙ୍କି ଭିତରେ ଫସିଯିବାରୁ ଚେତାଶୂନ୍ୟ ହୋଇ ପଡିଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଅଣାଯାଇଥିଲା। ଏହାପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦେଓଘର ଡେପୁଟି କମିଶନର ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସରକାରୀ ବ୍ୟବସ୍ଥା ଅନୁଯାୟୀ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବାକୁ ସେ କହିଛନ୍ତି।