ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ ମଧ୍ୟରେ ଦେଶର କୃଷକମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହିତ ପିଏମ-କିସାନ ଯୋଜନାରେ ୮.୫ କୋଟି ଚାଷୀଙ୍କ ପାଇଁ ୬ଷ୍ଠ କିସ୍ତି ବାବଦରେ ୧୭ ହଜାର କୋଟି ଟଙ୍କା ଛାଡ଼ିଛନ୍ତି। ଏହି ସବୁ ଯୋଜନା ଏବଂ ସଂସ୍କାର ଦେଶର କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ହେଉଛି ପବିତ୍ର ହଳ ଷଷ୍ଠୀ। ଏହା ଭଗବାନ ବଳରାମଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଦେଶର ଚାଷୀମାନଙ୍କୁ ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଅବସରରେ ଚାଷୀମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ସହାୟତା ଘୋଷଣା କରୁଛି। ଏହାଦ୍ୱାରା ଉନ୍ନତ ଷ୍ଟୋରେଜ୍, ଗ୍ରାମରେ ଆଧୁନିକ ଶୀତଳ ଭଣ୍ଡାର ଶୃଙ୍ଖଳା ସୃଷ୍ଟି କରିବାରେ ସହାୟକ ହେବ ଏବଂ ଗାଁରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଏହି ପାଣ୍ଠି ଆରମ୍ଭ କରାଯାଇଥିବା ମୋଦୀ କହିଛନ୍ତି।
ସୂଚନା ଅନୁସାରେ ଚଳିତ ବର୍ଷ ଆରମ୍ଭରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା।