ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦିନ ୧୦ ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନେବାକୁ ପ୍ରସ୍ତୁତ ହେଉଛି। ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରତିରକ୍ଷା ମନ୍ତ୍ରାଳୟ ୧୦୧ରୁ ଅଧିକ ରକ୍ଷା ଉପକରଣର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବ। ଲଦାଖରେ ଥିବା ଆକଚୁଆଲ୍ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଚୀନ୍ ସହ ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତ ଆତ୍ମନିର୍ଭର ହେବ। ଏଥିରେ ଭାରତର ପ୍ରତିରକ୍ଷା ଶିଳ୍ପ ମଧ୍ୟ ସାମିଲ ହେବ। ତେବେ ଆର୍ଟିଲରି ବନ୍ଧୁକ, ହାଲୁକା ଯୁଦ୍ଧ ହେଲିକପ୍ଟର, ଆକ୍ରମଣକାରୀ ରାଇଫଲ, କର୍ଭେଟ୍ସ, ରାଡାର, ସଶସ୍ତ୍ର ଯୁଦ୍ଧ ଯାନ, ପରିବହନ ବିମାନ ସମେତ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ବର୍ତ୍ତମାନଠାରୁ ଅନ୍ୟ ଦେଶରୁ ଆମଦାନୀ ହେବ ନାହିଁ। ଏହି ଉପକରଣ ସ୍ୱଦେଶୀ ଭାବରେ ଭାରତରେ ଉତ୍ପାଦିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଫଳରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।