ନୂଆଦିଲ୍ଲୀ, ଏଜେନ୍ସି: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଇଛି ସିବିଆଇ। ଗୁରୁବାର ସିବିଆଇ ପକ୍ଷରୁ ସୁଶାନ୍ତ ସିଂହଙ୍କ ବାନ୍ଧବୀ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛିି। ରିୟାଙ୍କ ବ୍ୟତୀତ ଇନ୍ଦ୍ରଜିତ୍ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ଶୋଭିକ୍ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଶ୍ରୁତି ମୋଦିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ନିଜ ବାସଭବନରେ ସୁଶାନ୍ତଙ୍କ ମୃତଦେହ ଗତ ଜୁନ୍ ୧୪ ତାରିଖରେ ରଶିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ତଦନ୍ତ ମୁମ୍ବାଇ ପୁଲିସ ଆରମ୍ଭ କରିଥିଲା, ମାତ୍ର ଏଥିରେ ଅସନ୍ତୋଷ ପ୍ରକାଶ କରି ପାଟନାରେ ରହୁଥିବା ସୁଶାନ୍ତଙ୍କ ବାପା ନିଜ ଅଞ୍ଚଳର ଏକ ଥାନାରେ ଏତଲା ଦେଇଥିଲେ। ପାଟନା ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିଥିଲା। ଏଥିରେ କଥିତ ଅପରାଧିକ ଷଡଯନ୍ତ୍ର, ଠକେଇ, ଆତ୍ମହତ୍ୟା ନିମନ୍ତେ ଉସୁକାଇବା, ଚୋରି ନେଇ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ମହାରାଷ୍ଟ୍ର ଓ ବିହାର ପୁଲିସ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ସୁଶାନ୍ତଙ୍କ ପିତାଙ୍କ ଅନୁରୋଧ ଆଧାରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାର ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରିଥିଲେ। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।