ହାଇଦ୍ରାବାଦ, ଏଜେନ୍ସି: ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ କରୋନା ସଂକ୍ରମଣ ବଢିଥିଲା ବେଳେ ଏଥିପାଇଁ ହସ୍ପିଟାଲରେ ଆଗୁଆ ବୁକିଂ ଆରମ୍ଭ ହୋଇଯାଇଛି। ଭିଆଇପିମାନେ ଘରୋଇ ହସ୍ପିଟାଲରେ ଆଗୁଆ ଆଇସିୟୁ ବେଡ ବୁକ୍ କରୁଛନ୍ତି। ଘରୋଇ ଡାକ୍ତରଖାନା ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗ ଅନୁଯାୟୀ ଆଗୁଆ ବେଡ୍ ବୁକିଂ ପାଇଁ ଦୈନିକ ହିସାବରେ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି। ଏହି ଖବର ସରକାରୀ ଅଧିକାରୀଙ୍କ ନଜରକୁ ଆସିବା ପରେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। କେତେକ ଭିଆଇପି ଆଗକୁ କରୋନା ସଂକ୍ରମିତ ହୋଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି। ତେଣୁ ସେମାନେ ନିଜ ପାଇଁ ଆଗୁଆ ବେଡ ବୁକ୍ କରୁଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଜି ଶ୍ରୀନିବାସ ରାଓ କହିଛନ୍ତି। ରାଓଙ୍କ କହିବା ଅନୁଯାୟୀ ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବେଆଇନ। ଏହି କଥା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି। ଉକ୍ତ ଘଟଣାରେ ବିସ୍ତୃତ ଭାବେ ତଦନ୍ତ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏହି ଭିଆଇପିମାନଙ୍କ ମଧ୍ୟରେ ରାଜନେତା ଏବଂ ଅଭିନେତା ମଧ୍ୟ ଅଛନ୍ତି।