ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ କମଳ ରାଣୀ ବରୁଣଙ୍କ ଦେହାନ୍ତ, ଅଯୋଧ୍ୟା ଗସ୍ତ ବାତିଲ କଲେ ମୁଖ୍ୟମନ୍ତ୍ରୀ

ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶରେ କ୍ୟାବିନେଟ୍ ମନ୍ତ୍ରୀ କମଳ ରାଣୀ ବରୁଣଙ୍କ ଆଜି ଦେହାନ୍ତ ହୋଇଯାଇଛି। ୬୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ତେବେ ସେ ଜୁଲାଇ ୧୮ ତାରିଖରୁ କରୋନାରେ ସଂକ୍ରମିତ ହୋଇଥିଲେ। ଏନେଇ ଲଖନଉ ପିଜିଆଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ସୂଚନା ଅନୁସାରେ କମଳ ରାଣୀ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାବେଳେ ଏହା ପୂର୍ବରୁ ସେ ସାଂସଦ ଥିଲେ। ସେହିପରି ୟୁପି ସରକାରଙ୍କ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଥିଲେ କମଳ ରାଣୀ। ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିବା ସହ କମଳ ରାଣୀ ବରୁଣଙ୍କ ଏଭଳି ଅକାଳ ବିୟୋଗ ତାଙ୍କୁ ବ୍ୟଥିତ କରିଛି ବୋଲି କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଜିର ଅଯୋଧ୍ୟା ଗସ୍ତକୁ ବାତିଲ କରିଥିବା ଜଣାପଡ଼ିଛି।