ଭୁବନେଶ୍ୱର, ଏନ୍ଏନ୍ଏସ୍: ଏଣିକି ସହଜରେ ମିଳିବ ଫାୟାର ସେଫ୍ଟି ସାର୍ଟିଫିକେଟ ବା ଅଗ୍ନି ନିରାପତ୍ତା ପ୍ରମାଣପତ୍ର। ଅନଲାଇନ ମୋଡରେ ଭିନ୍ନଭିନ୍ନ ବିଲ୍ଡିଂ ପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନ କରାଯିବ। ଏହାସହ ଅଗ୍ନିଶମ ବିଭାଗର ୮ଟି ସେବା ଏଣିକି ଜନସାଧାରଣରେ ଅନଲାଇନ ମାଧ୍ୟମରେ ପାଇ ପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ଅଗ୍ନିଶମ ସେବା ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗର ସମସ୍ତ ସେବା ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ଅନଲାଇନରେ ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅନଲାଇନରେ ବିଲ୍ଡିଂର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଏହି ପୋର୍ଟାଲର ଶୁଭାରମ୍ଭ କରି ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦକ୍ଷତା ବୃଦ୍ଧି କରିବା ସହ ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ ସମୟୋଚିତ ସେବା ପ୍ରଦାନ କରିବାରେ ସହାୟକ ହେବ। ଟେକ୍ନୋଲୋଜି, ଟିମୱାର୍କ, ଟାନ୍ସପରେନ୍ସି ଏବଂ ଟାଇମ ଜରିଆରେ ଶାସନରେ ପରିବର୍ତ୍ତନ ଆଣିବା ହେଉଛି ମୋ ସରକାରର ୫-ଟି କାର୍ଯ୍ୟକ୍ରମର ପ୍ରାଥମିକତା। ଏହି ପୋର୍ଟାଲ୍ ଆରମ୍ଭ ହେବା ଫଳରେ ବିଲ୍ଡିଂ, ମଲ୍ଟିପ୍ଲେକ୍ସ, ଶପିଂ ମଲ ଏବଂ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟଗୁଡ଼ିକର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନାଗରିକମାନେ ଅନଲାଇନରେ ପାଇପାରିବେ। ବଳକା ସେବାଗୁଡ଼ିକ ଏହି ପୋର୍ଟାଲ ସହ ସମନ୍ୱିତ କରାଯାଇ ଅକ୍ଟୋବର ୨ ତାରିଖ ପୂର୍ବରୁ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ କୋଭିଡ୍ ମହାମାରୀ ଭୟ ମଧ୍ୟରେ ବାତ୍ୟା ଅମ୍ପନ୍ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗକୁ ଯାଇଥିବା ଅଗ୍ନିଶମ ସେବା କର୍ମଚାରୀଙ୍କ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ଗୁରୁତର ପ୍ଲାଜମା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରି ଏହି କର୍ମଚାରୀମାନେ ମାନବିକତାର ପରିଚୟ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଅଗ୍ନିଶମ ସେବା ବିଭାଗ ବିପର୍ଯ୍ୟୟ ମୁକାବିଲାରେ ପ୍ରଶଂସନୀୟ ସେବା ପ୍ରଦାନ କରିଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ। ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଥିଲେ, ବିନା କୌଣସି ଅସୁବିଧାରେ ସାଧାରଣ ଲୋକଙ୍କୁ ଅନଲାଇନରେ ଅନୁମୋଦନ ପ୍ରଦାନ କରିବା ହେଉଛି ଏକ ଉଲ୍ଲେଖନୀୟ ପଦକ୍ଷେପ। ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଏଠାରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଗ୍ନିଶମ ଆଇଜି ଅସୀତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍, ଇଟି ଏବଂ ଆଇଟି ସଚିବଙ୍କ ସମେତ ଅଗ୍ନିଶମ ସେବା ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।