ନିଆଁରେ ପୋଡି ହୋଇ ୫ ଗୁରୁତର

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ନିଆଁରେ ପୋଡି ହୋଇ ୨୦ ଦିନର ଶିଶୁ ସମେତ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ ଗିରଙ୍ଗ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାରୁ କେହି ଘର ବାହାରୁ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ସେହିପରି ଘରର ଉଭୟ ପଟରେ ତାଲା ପଡ଼ିଥିବାରୁ ସମ୍ପୂର୍ଣ୍ଣ ଘର ଜଳିଯାଇଛି। ଘରେ ନିଆଁ ଲାଗିଥିବା ଗ୍ରାମବାସୀ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏଥିସହିତ ଗ୍ରାମବାସୀ ସ୍କାଏଲାଇଟ ଭାଙ୍ଗି ସେମାନଙ୍କୁ ଘର ଭିତରୁ ଉଦ୍ଧାର କରିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପ୍ରଥମେ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲ ଓ ପରେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଗ୍ରାମବାସୀଙ୍କ ସୂଚନା ଅନୁସାରେ କୋଠା ଘରର କବାଟ ଖୋଲା ରଖି ଶୋଇଥିଲେ ପରିବାର ଲୋକେ। ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଘରେ କିରୋସିନ ସ୍ପ୍ରେ କରି ନିଆଁ ଲଗାଇ ପଦାପଟୁ କବାଟ ତାଲା ପକାଇ ଦେଇଥିଲେ। ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।