ରାମ ମନ୍ଦିର ଭୂମିପୂଜା ପୂର୍ବରୁ ପୂଜକ ଓ ୧୬ ପୁଲିସକର୍ମୀ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ଅଯୋଦ୍ଧାରେ ରାମ ମନ୍ଦିର ଭୂମିପୂଜା ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ରାମ ଜନ୍ମଭୂମିର ପୂଜକ ପ୍ରଦୀପ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂଜକଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ପୂଜକଙ୍କ ସମେତ ସୁରକ୍ଷା ଦାୟିତ୍ୱରେ ଥିବା ୧୬ଜଣ ପୁଲିସ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ଭୂମିପୂଜା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୩,୫୭୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୧,୫୩୦କୁ ବୃଦ୍ଧି ପାଇଛି।