ରାଜଧାନୀରୁ ୧୩୭ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୨୫୦୨କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଦିନକୁଦିନ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଆଜି ୧୩୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୦୨କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ୭୫ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୯୮ଜଣ ଓ ସ୍ଥାନୀୟ ସଂକ୍ରମଣ ୩୯ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୟୁନିଟ-୧ ବସ୍ତିରୁ ୧୧ ଜଣ, ଦଶାରାଜ ବସ୍ତି ଓ ୟୁନିଟ-୯ ବାଇଆବାବା ବସ୍ତିରୁ ୨ଜଣ ଲେଖାଏଁ, ସାଲିଆ ସାହି ଓ ଆଖଣ୍ଡଳମଣି ବସ୍ତିରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ କେଉଁଠିନା କେଉଁଠି ବସ୍ତିବାସିନ୍ଦା ରାଜଧାନୀ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି।

ସୂଚନାଯୋଗ୍ୟ, ଆଜିର ୧୩୭ ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୦୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୨୧୬ ଜଣ ସୁସ୍ଥ ହୋଇଛନ୍ତି, ୧୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୭୧ଜଣ ଚିକିତ୍ସିତ ହେଉଛନ୍ତି।