ପରଲୋକରେ ବଲିଉଡ୍ ଅଭିନେତ୍ରୀ କୁମକୁମ

ମୁମ୍ବାଇ: ମଙ୍ଗଳବାର ବଲିଉଡ୍ ଅଭିନେତ୍ରୀ କୁମକୁମଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ବିହାର ଅନ୍ତର୍ଗତ ଶେଖପୁରା ଜିଲ୍ଲାର ହୁସେନବାଦରେ ଏପ୍ରିଲ ୨୨, ୧୯୩୪ରେ ଜନ୍ମଲାଭ କରିଥିଲେ ସେ। ତାଙ୍କର ପିତୃଦତ୍ତ ନାମ ଥିଲା ଜୈବୁନିଶା। ପଚାଶ ଓ ଷାଠିଏ ଦଶକରେ ବେଶ୍ ଲୋକପ୍ରିୟତା ଲାଭ କରିଥିବା କୁମ୍କୁମ୍ଙ୍କୁ ଫିଲ୍ମ ଲାଇନ୍କୁ ଆଣିଥିଲେ ପ୍ରଖ୍ୟାତ ଅଭିନେତା ଗୁରୁଦତ୍ତ। ୧୧୫ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା କୁମକୁମଙ୍କ ଲୋକପ୍ରିୟ ସିନେମା ତାଲିକାରେ ରହିଛି ‘ମିଷ୍ଟର ଏକ୍ସ ଇନ୍ ବମ୍ବେ’, ‘ମଦର୍ ଇଣ୍ଡିଆ’, ‘ସନ୍ ଅଫ୍ ଇଣ୍ଡିଆ’, ‘କୋହିନୁର’, ‘ଉଜାଲା’, ‘ନୟା ଦୌର’, ‘ଶ୍ରୀମାନ ଫଣ୍ଟୁସ୍’, ‘ଏକ ସପେରା ଏକ ଲୁଟେରା’, ‘ଗଙ୍ଗା କି ଲେହେରେଁ’, ‘ରାଜା ଔର୍ ରଙ୍କ’, ‘ଆଖେଁ’, ‘ଲଲକାର’, ଓ ‘ଗୀତ୍’ । ବିଭିନ୍ନ ଫିଲ୍ମରେ ସେ ଦିଲୀପ କୁମାର, ଶମ୍ମି କପୁର, କିଶୋର କୁମାର, ଧର୍ମେନ୍ଦ୍ର, ବିନୋଦ ଖାନ୍ନା ପ୍ରମୁଖଙ୍କ ବିପକ୍ଷରେ ଅଭିନୟ କରି ଚର୍ଚ୍ଚା ସାଉଁଟିଥିଲେ।