ପୁଲିସ ହାତରୁ ଖସିପଳାଉଥିବା ଦୁଷ୍କର୍ମକାରୀ ଟ୍ୟାଙ୍କର ଧକ୍କାରେ ମୃତ

ରାୟଗଡ଼ା,ଏନ୍ଏନ୍ଏସ୍: ଆଜିଜଣେ କଏଦୀଙ୍କୁ ଟିକିରି ପୁଲିସ ଜେଲକୁ ନେବା ସମୟରେ ଖସି ପଳାଉଥିବାବେଳେ ଟ୍ୟାଙ୍କର ଧକ୍କାରେ ତାର ମୃତ୍ୟୁ ହୋଇଛି। ଅଭୁଯୁକ୍ତ ଜଣକ ହେଲେ ବିଷମକଟକର ସନ୍ତୋଷ ପଣ୍ଡୁ । ଏକ ଦୁଷ୍କର୍ମ ମାମଲାରେ ଟିକିରି ପୁଲିସ ବିଷମକଟକରୁ ଗତକାଲି ଗିରଫ କରିଥିବାବେଳେ ଆଜି ପୁଲିସ ରାୟଗଡ଼ା କୋର୍ଟ ନେଉଥିବାବେଳେ ପୁଲିସ କୁ ଚକମା ଦେଇ ଦୌଡ଼ି ପଳାଉଥିବାବେଳେ ସାମ୍ନାପଟୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ଦୋରାସାହିର ସ୍ୱର୍ଗତ ଶିକ୍ଷକ ରାମ ବୋରାଙ୍କ ସାନ ଝିଅ ଗୀତା(ଛଦ୍ମନାମ) ରାୟଗଡ଼ା କଲେଜରେ ପଢ଼ୁଥିବା ସମୟରେ ସନ୍ତୋଷ ପଣ୍ଡୁ ନାମକ ଜଣେ ଡ୍ରାଇଭରଙ୍କ ସହିତ ପ୍ରେମ ସମ୍ପର୍କ ହୋଇଥିଲା। ନିଜକୁ ପୁଲିସ ଅଧିକାରୀ ପରିଚୟ ଦେବାସହ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସନ୍ତୋଷ ପଣ୍ଡୁ ଦୀର୍ଘ ୪ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଯୁବତୀ ଜଣକ ତାଙ୍କୁ ବିବାହ ପାଇଁ ଜିଦ୍ ଧରିବାରୁ ମୁକୁନ୍ଦପୁର ନିକଟସ୍ଥ କୁଳବନ୍ଧ ମନ୍ଦିରକୁ ନେଇ ମରଣାନ୍ତକ ମାଡ଼ମାରି ଅଚେତ ଅବସ୍ଥାରେ କୋଲନରା ମେଡିକାଲରେ ଭର୍ତ୍ତି କରିଥିଲା।

କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ଝିଅକୁ ଉଦ୍ଧାର କରି ଟିକିରି ଥାନାରେ ଏତଲା ଦେଇଥିଲେ। ଗତକାଲି ବିଷମକଟକରୁ ଅଭିଯୁକ୍ତଙ୍କୁ ଗିରଫକରି ଟିକିରି ଥାନାକୁ ଅଣାଯାଇଥିଲ। ଏହି ମାମଲାରେ ତଦନ୍ତ କରୁଥିବା ରାୟଗଡ଼ା ଏସଡିପିଓ ଆଜି ପଚରାଉଚରା ପାଇଁ ଅଣାଯାଇ କୋର୍ଟ ଚାଲାଣ କରିବା ସମୟରେ ପୁଲିସ ହାତରୁ ଖସି ପଳାଉଥିଲା । ଏହି ସମୟରେ ଥାନା ସମ୍ମୁଖରେ ଏକ ଟ୍ୟାଙ୍କର ସହ ଧକ୍କା ହୋଇ ଘୋଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ଏସପି ଡା. ଶର୍ବଣା ବିବେକ ଏମ୍, ଅତିରିକ୍ତ ଏସପି ରାମପ୍ରସାଦ ସାହୁ, ଏସଡିପିଓ ତପନ ନାରାୟଣ ରଥ, ଡିଏସପି ବଟକୃଷ୍ଣ ମିଶ୍ର, ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତଦେହକୁ ମେଡିକାଲ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏସପି ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।