ଶିଳ୍ପ ଓ କୃଷି ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ଝାରସୁଗୁଡ଼ା

ଝାରସୁଗୁଡ଼ା,ଏନ୍ଏନ୍ଏସ୍:ପଶ୍ଚିମ ଓଡ଼ିଶାର ଶିଳ୍ପ ଓ କୃଷି ଆଧାରିତ ଅର୍ଥନୀତିର ଝାରସୁଗୁଡ଼ା ପେଣ୍ଠସ୍ଥଳୀ ହେବ। ଝାରସୁଗୁଡ଼ାକୁ ଦେଶର ଏକ ଅଗ୍ରଣୀ ଅଂଚଳ ରୂପେ ଗଢ଼ି ତୋଳିବା ପାଇଁ ଉଦ୍ୟମ କରିବାକୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି କି, ଝାରସୁଗୁଡ଼ା ଅଂଚଳର ଶିଳ୍ପ କ୍ଲଷ୍ଟରକୁ ଜାତୀୟସ୍ତରୀୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଭିତ୍ତିିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ଏହି ଅଂଚଳରେ ଭାଲ୍ୟୁ ଏଡିସନ ଆନସିଲାରୀ ଶିଳ୍ପ ପାଇଁ ବ୍ୟାପକ ଯୋଜନା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ଲାଭ ଝାରସୁଗୁଡ଼ା ତଥା ସ୍ଥାନୀୟ ଅଂଚଳର ଯୁବକମାନେ ପାଇବେ। ଏଠାରେ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆତ୍ମନିର୍ଭର ଭାରତ ଯୋଜନାରେ ଆଗକୁ ବଢ଼ାଯିବ। ଭାରତର ଅଗ୍ରଣୀ ଅଂଚଳ ଭାବେ ଝାରସୁଗୁଡ଼ାକୁ ଗଢ଼ି ତୋଳିବା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ଜାତୀୟସ୍ତରରେ ଜିଲ୍ଲାକୁ ସମ୍ମାନ ଦେଇଛନ୍ତି। ସେହିପରି ରଙ୍ଗବତୀ ଗୀତ ହେଉଛି ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ସାଂସ୍କୃତିକ ଜୀବନଶୈଳୀର ଗୋଟିଏ ଅଭିବ୍ୟକ୍ତି। ଏହାକୁ ଜାତୀୟସ୍ତରରେ ସମ୍ମାନ ଦେଇ ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ମାନ ବଢ଼ାଇଛନ୍ତି। ତେବେ ଜିଲ୍ଲାକୁ ଆହୁରି ପ୍ରତିଷ୍ଠିତ ତଥା ବିକଶିତ କରିବା ପାଇଁ ବିଜେପିକର୍ମୀଙ୍କ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କ ଯୋଗଦାନ ଆବଶ୍ୟକ ବୋଲି ଗତକାଲି ଅନୁଷ୍ଠିତ ଝାରସୁଗୁଡ଼ା ବିଧାନସଭାସ୍ତରୀୟ ଜନ ସମ୍ବାଦ ରାଲି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରଧାନମନ୍ତ୍ରୀ କଲ୍ୟାଣକାରୀ ଯୋଜନା ଉପରେ ଋଦ୍ଧିମନ୍ତ କରିବା ସହ ଦଳୀୟ ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ବରିଷ୍ଠ ନେତା ଦିନେଶ ଜୈନ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ସୁନିଲ ପଣ୍ଡା, ପ୍ରେମସେନ ରାଏ, ବାଞ୍ଛାନିଧି ସାହୁ, ଶ୍ଲୋକ ସରନ ପ୍ରମୁଖ ଉପସ୍ଥିତ ଥିଲେ ।