ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ବିଏସଏଫ ଯବାନ ଥିବାବେଳେ ଅନ୍ୟଜଣେ ସାଧାରଣ ବ୍ୟକ୍ତି ଥିବା ଜଣାପଡ଼ିଛି। ସଂପୃକ୍ତ ବିଏସଏଫ ଯବାନମାନେ ଉତ୍ତରପ୍ରଦେଶ ଓ ରାଜସ୍ଥାନ ଫେରନ୍ତା ହୋଇଥିବା ବେଳେ ସେମାନଙ୍କୁ ମାଲକାନଗିରିସ୍ଥିତ ମାଲ୍ୟବନ୍ତ ଛାତ୍ରାବାସରେ ରଖାଯାଇଥିଲା। ଅନ୍ୟ ଜଣେ ଆକ୍ରାନ୍ତ ତାମିଲନାଡ଼ୁରୁ ଫେରି ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-୦୭ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ନେଇ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଅନ୍ୟ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି।