ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମରେ ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି । ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ଦ୍ଵାରା ଝଡ଼ାଫୁଙ୍କା କରିବାରୁ ତ।ଙ୍କର ମୃତ୍ୟୁ ଘଟିଛି। ମିଳିଥିବା ରିପୋର୍ଟ ମୁତାବକ, ପାଟଣା ଥାନା ଅନ୍ତର୍ଗତ ଭାଲିଆଡ଼ାଳ ଗ୍ରାମର ଚନ୍ଦ୍ରଶେଖର ଦଳଦସିଆଙ୍କ ସ୍ତ୍ରୀ ଲଳିତା ଦଳଦସିଆ(୩୦) ଶୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ଏକ ବିଷଧର ସାପ କାମୁଡ଼ିବାରୁ ତାଙ୍କୁ ପରିବାର ଲୋକେ ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଗୁଣିଆ ଡାକି ଝଡ଼ା ଫୁଙ୍କା କରିଥିଲେ। ମହିଳାଙ୍କ ଚେତା ନ ଆସିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟଣା ଥାନା ସବଇନ୍ସପେକ୍ଟର ଅନୁପ କୁମାର ସାମଲ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ମହିଳାଙ୍କ ମୃତ୍ୟୁ ପରେ ଗୁଣିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।